ଡାକ୍ତରଖାନାରେ ଆଟେଣ୍ଡାଣ୍ଟଙ୍କ ଦୁର୍ବ୍ୟବହାର: ସ୍ବାସ୍ଥ୍ୟକର୍ମୀଙ୍କୁ ତାଗିଦ କଲେ ଅଧୀକ୍ଷକ

ହିଞ୍ଜିଳିକାଟୁ,୩୦ା୫(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଡାକ୍ତରଖାନାରେ ଜଣେ ସ୍ବାସ୍ଥ୍ୟକର୍ମୀ ବୁଧବାର ରାତିରେ ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ବଦଳରେ ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ହବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବୁଧବାର ରାତିରେ ଘଟିଥିବା ଏହି ଘଟଣା ନେଇ ଗୁରୁବାର ଡାକ୍ତରଖାନା ସୁପରିଟେଣ୍ଡଣ୍ଟ ଶ୍ରୀକାନ୍ତ ସାହୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ତାଗିଦ କରିଛନ୍ତି। ଭବିଷ୍ୟତରେ ଏଭଳି ଭୁଲ କଲେ କଠୋର ଦଣ୍ଡ ଦିଆଯିବ ବୋଲି ତାଗିଦ କରିଛନ୍ତି।

ବୁଧବାର ରାତିରେ ହିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ ଗ୍ରାମର କବିରାଜ ସେଠିଙ୍କ ନାବାଳକ ପୁତ୍ର ଈଶ୍ବର ସେଠୀ(୬) ଘର ବାରଣ୍ଡାରେ ଖେଳୁଥିବା ବେଳେ ଖସିପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ନାବାଳକଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ବ୍ୟାଣ୍ଡେଜ କରିବା ପାଇଁ ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ ପରାମର୍ଶ ଦେଇଥିଲେ। ନାବାଳକଙ୍କୁ ଧରି ଅବିଭାବକ ମାଇନର ଓଟିକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ସିଦ୍ଧେଶ୍ବର ମଲିକ ନିଶାଗ୍ରସ୍ତ ହୋଇ ନାବାଳକଙ୍କୁ ସିଲେଇ ଓ ବ୍ୟାଣ୍ଡେଜ କରିବାକୁ ପାଇଁ ମନା କରିଦେଇଥିଲେ।

ନାବାଳକଙ୍କ ଅଭିଭାବକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସିଦ୍ଧେଶ୍ବର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଘଟଣା ନେଇ ଶିଶୁଙ୍କ ଅଭିଭାବକ ଡାକ୍ତରଙ୍କୁ ଅବଗତ କରାଇଥିଲେ। ପରେ ସ୍ବାସ୍ଥ୍ୟକର୍ମୀ ଜଣକ ଡାକ୍ତରଙ୍କ କଥା ମଧ୍ୟ ମାନି ନ ଥିଲେ। ଡାକ୍ତର ଜଣଙ୍କ ଅନ୍ୟଜଣେ ଆଟେଣ୍ଡାଣ୍ଟଙ୍କ ସହାୟତାରେ ନାବାଳକଙ୍କ ଚିକିତ୍ସା କରିବା ପରେ ଘଟଣା ନେଇ ଚିକିତ୍ସାଳୟ ଅଧୀକ୍ଷକଙ୍କୁ ଜଣାଇଥିଲେ। ଘଟଣାର ଗୁରୁତ୍ୱକୁ ନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ସାହୁ ଆଟେଣ୍ଡାଣ୍ଟ ସିଦ୍ଧେଶ୍ୱରଙ୍କୁ ତାଗିଦ କରିବା କରିଥିଲେ। କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏଭଳି ଭୁଲ ନ କରିବା ପାଇଁ ଲିଖିତ ଭାବେ ଦେବାକୁ କହିଥିଲେ।