ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ମୁଖ୍ୟ ଡାକ୍ତରଖାନା ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
ଅସରାଏ ବର୍ଷା ହେଲେ ଉକ୍ତ ଡାକ୍ତରଖାନାର ଅବସ୍ଥା ବିଗିଡ଼ି ଯାଉଛି। ରୋଗୀମାନେ ଚିକିତ୍ସିତ ହେବା ପାଇଁ ଡାକ୍ତରଖାନାକୁ ଯାଉଥିବା ବେଳେ ଉକ୍ତ ଡାକ୍ତରଖାନା ବର୍ଷା ଦିନେ ରୋଗ ବାଣ୍ଟୁଛି।
ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ମୋରଡା ବ୍ଲକ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ବ୍ଲକର ଏହି ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳିଛି l ଡାକ୍ତରଖାନାକୁ ଯିବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏଠାରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଡାକ୍ତରଖାନା ପରିସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ବେଳେ ସଠିକ ଡ୍ରେନେଜ୍ ବ୍ୟବସ୍ଥା କରି ନ ଥିବାରୁ ଡାକ୍ତରଖାନର ଏପରି ଅବସ୍ଥା ହୋଇଛି ସ୍ଥାନୀୟ ବାସିନ୍ଦା ତାପସ ସିଂ, କାନ୍ଦ୍ରା ସୋରେନ, ନନ୍ଦ ବେହେରା ପ୍ରମୁଖ କହିଛନ୍ତି।