ହସ୍ପିଟାଲରେ ବେଡ୍‌-ଅକ୍ସିଜେନ୍‌ ନାହିଁ: ଶ୍ମଶାନରେ କାଠ ଅଭାବ…

ନୋଏଡା,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ସେହିପରି ଅକ୍ସିଜେନ୍‌ ନ ଥିବାରୁ ବହୁ ଆକ୍ରାନ୍ତ ଛଟପଟ ହୋଇ ମରୁଛନ୍ତି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶ୍ମଶାନରେ କାଠର ଅଭାବ ସୃଷ୍ଟି ହୋଇଛି। ବିନା କାଠରେ ଅନ୍ତିମ ସଂସ୍କାର କିଭଳି କରାଯିବ ସେ ନେଇ ନୋଏଡା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ନୋଏଡାର ସେକ୍ଟର ୯୪-ଏଠାରେ ଥିବା ଶ୍ମଶାନରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ପୂର୍ବରୁ ପ୍ରତିଦିନ ୭ରୁ ୮ ମୃତଦେହ ଆସୁଥିବାବେଳେ ଏବେ ପ୍ରତିଦିନ ୩୫ରୁ ଅଧିକ ମୃତଦେହ ଅନ୍ତିମ ସଂସ୍କାର ପାଇଁ ଆସୁଛି। ଫଳରେ ବର୍ଷେ ଲାଗି ଷ୍ଟକ୍‌ ଥିବା କାଠ ମାସକ ମଧ୍ୟରେ ଶେଷ ହୋଇଯାଇଥିବା ଶ୍ମଶାନ ପରିଚାଳନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କେତେକ ଚଢ଼ା ଦାମରେ କାଠ ବିକ୍ରି କରିବା ସହିତ ଅନ୍ତିମ ସଂସ୍କାର ପାଇଁ ଧାର୍ଯ୍ୟ ଦରଠାରୁ ଅଧିକ ଦାବୀ କରୁଥିବା ଘଟଣା ନଜରକୁ ଆସୁଛି। ତେବେ ମୃତକଙ୍କ ଶୀଘ୍ର ଅନ୍ତିମ ସଂସ୍କାର କରି ଘରକୁ ଫେରିବାକୁ ଚାହୁଁଥିତ୍ବା ପରିବାର ବର୍ଗ ବିନା ପ୍ରତିବାଦରେ ଏହାକୁ ମଧ୍ୟ ଗ୍ରହଣ କରି ନେଉଥିବା ଦେଖାଯାଉଛି। ଏହାର ଖବର ପ୍ରଶାସନ ପାଖରେ ପହଞ୍ଚିପାରୁନି। ମାଗଣାରେ ଅନ୍ତିମ ସଂସ୍କାର ଲାଗି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ସରକାରୀ ନିର୍ଦ୍ଦେଶ କେବଳ କାଗଜପତ୍ରରେ ରହିଯାଇଛି।

Share