ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର

ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ ରୋଗୀଙ୍କ ଓପନ ହାର୍ଟ ସର୍ଜରୀ ହେଉଥିଲା। ୮ ଜଣିଆ ଡାକ୍ତରୀଦଳ ରୋଗୀଙ୍କୁ ଛାଡ଼ି ନିଜର ଜୀବନ ବଞ୍ଚାଇବା ଲାଗି ପଳାଇ ନ ଥିଲେ। ନିଆଁ ଲାଗିଥିବା ଜାଣି ମଧ୍ୟ ସେମାନେ ରୋଗୀଙ୍କର ଅପରେଶନ ସଫଳତାରେ ସହିତ ଶେଷ କରି ମହାନତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଅଧା ଅପରେଶନ୍‌ରୁ ରୋଗୀଙ୍କୁ ସ୍ଥାନାନ୍ତର କରାଗଲେ ତାଙ୍କର ଜୀବନ ପ୍ରତି ବିପଦ ଥିଲା। ଡାକ୍ତରୀ ଦଳ ନିଜ ଜୀବନକୁ ଖାତିର ନ କରି ଭୟଭୀତ ନ ହୋଇ ଅପରେଶନ ଶେଷ କରିଥିଲେ। ମସ୍କୋର ପୂର୍ବରେ ଥିବା ବ୍ଲାଗୋଓ୍ବେଶଞ୍ଚେସ୍କ୍‌ ସହରରେ ଥିବା ହସ୍ପିଟାଲର ଉପର ମହଲାରେ ନିଆ ଲାଗି ଯାଇଥିଲା। ମାତ୍ର ଡାକ୍ତରୀଦଳ ରୋଗୀଙ୍କୁ ଛାଡ଼ି ଯାଇ ନ ଥିଲେ। ଦମକଳ ବାହିନୀଙ୍କ ଉଦ୍ୟମରେ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏବେ ଡାକ୍ତରୀଦଳଙ୍କ ଏହି ମହାନ କାର୍ଯ୍ୟ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share