Advertisement

ସ୍ତ୍ରୀଙ୍କ ପାଖରେ ନଥିଲା ଟଙ୍କା, ଡାକ୍ତରଖାନା ବାହାରେ ପଡ଼ି ରହି ଆଖି ବୁଜିଲେ ସ୍ବାମୀ

ଗୁନା,୨୪।୭: ଜଣେ ରୋଗୀ ଟଙ୍କା ଅଭାବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ସ୍ଲିପ୍‌ ପାଇପାରି ନ ଥିଲେ। ଶେଷରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦାୟକ ଘଟଣା ମଧ୍ୟପ୍ରଦେଶର ଗୁନା ଜିଲା ମୁଖ୍ୟ ଚିକିତ୍ସାଳୟ ବାହାରେ ଦେଖିବାକୁ ମିଳିଛି।

ଅଶୋକନଗର ଜିଲାର ସୁନିଲ ଧାକଡ଼ ଟିବିରେ ପୀଡ଼ିତ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଯୋଗୁ ଚିକିତ୍ସା ପାଇଁ ସ୍ତ୍ରୀ ଆରତୀଙ୍କ ସହ ବୁଧବାର ଅପରାହ୍ନରେ ଡାକ୍ତରଖାନା ଆସିଥିଲେ। ହେଲେ ଭର୍ତ୍ତି ହେବା ପାଇଁ ଟଙ୍କା ନ ଥିବାରୁ ରେଜିଷ୍ଟ୍ରେଶନ କରିପାରି ନ ଥିଲେ। ଯେତେ କାକୁତି ମିନତି କଲେ ସୁଦ୍ଧା ଡାକ୍ତରଖାନାରେ ଦାଖଲ କରିବାକୁ ରିସେପ୍ସନରେ ଥିବା କର୍ମଚାରୀ ଅସମର୍ଥ ବୋଲି କହିଥିଲେ। ଶେଷରେ ନିରାଶ ହୋଇ ଡାକ୍ତରଖାନା ସମ୍ମୁଖରେ ସ୍ବାମୀ ଓ ଶିଶୁଙ୍କୁ ଧରି ଏକ ଗଛ ମୂଳରେ ବସିଥିଲେ ଆରତୀ।

ଏଥିପ୍ରତି ମଧ୍ୟ କାହାର ନିଘା ନ ଥିଲା। ଗୁରୁବାର ସକାଳେ ମଧ୍ୟ ଆରତୀ ପଚାରିବାରେ ସମାନ ଉତ୍ତର ମିଳିଥିଲା। ଶେଷରେ ସାରା ରାତି ଡାକ୍ତରଖାନା ବାହାରେ ପଡ଼ି ରହିବା ଯୋଗୁ ସୁନିଲଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପରିଜନମାନେ ଚିନ୍ତା ପ୍ରକାଶ କରିବା ସହ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଏନେଇ ଜାଣିବା ପରେ ଜିଲାପାଳ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି। ଅପରପକ୍ଷେ ଠିକ୍‌ ସମୟରେ ଚିକିତ୍ସା ମିଳିଥିଲେ ସୁନିଲ ସୁସ୍ଥ ହୋଇ ଥାନ୍ତେ ବୋଲି ଆରତୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share