ହସ୍ପିଟାଲରେ ବିଦ୍ୟୁତ୍‌ କାଟ୍‌: ଭେଣ୍ଟିଲେଟରରେ ଥିବା ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୋପାଳ,୧୨।୧୨: ହସ୍ପିଟାଲରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାମିଦିଆ ହସ୍ପିଟାଲରେ ଘଟିଛି। ଏଠାରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ହଠାତ୍‌ ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ହସ୍ପିଟାଲରେ ଜେନେରେଟର ଥିବା ସତ୍ତ୍ୱେ ଏହାକୁ ଚାଲୁ କରାଯାଇ ନ ଥିଲା। ଫଳରେ ଭେଣ୍ଟିଲେଟର ସପୋର୍ଟରେ ଥିବା ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ହସ୍ପିଟାଲ ଡିନ୍‌ଙ୍କୁ ନୋଟିସ୍‌ ପଠାଇଛନ୍ତି। ହସ୍ପିଟାଲ ପକ୍ଷରୁ ଏହି ସମୟରେ ଦାୟିତ୍ୱରେ ଥିବା ମେଣ୍ଟେନାନ୍ସ୍‌ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି। ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Share