ନୂଆଦିଲ୍ଲୀ,୪।୧୧(ପି.ଟି.):ଶୀତଋତୁ ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କଲାଣି। ଦୂଷିତ ବାୟୁ ଯୋଗୁ ରାଜଧାନୀରେ କାଶ, ଥଣ୍ଡା, ଆଜ୍ମା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ କିଛିଦିନ ହେଲା ରୋଗୀ ସଂଖ୍ୟା ଯଥେଷ୍ଟ ବଢ଼ିଥିବା ଦେଖାଯାଇଛି। ବାୟୁ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିବାରୁ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଲାଗି ଡାକ୍ତର ପରାମର୍ଶ ଦେଉଛନ୍ତି। ଗୁରୁବାର ପୂର୍ବାହ୍ନରେ ଦିଲ୍ଲୀର ମୋଟାମୋଟି ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୨୬ ରହିଥିଲା। ଏକ୍ୱ୍ୟୁଆଇ ୪୦୦ରୁ ଅଧିକ ରହିଲେ ଏହାକୁ ଗମ୍ଭୀର ବୋଲି ଧରାଯାଉଛି, ଯେଉଁ ବାୟୁ ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତର କରିପାରେ।
ଓଖ୍ଲାସ୍ଥିତ ହୋଲି ଫାମିଲି ହସ୍ପିଟାଲରେ ଏଭଳି ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିତ୍ବା କ୍ରିଟିକାଲ କେୟାର ବିଭାଗ ମୁଖ୍ୟ ଡ. ସୁମିତ ରାୟ କହିଛନ୍ତି। ଦିଓ୍ବାଲିଠାରୁ ଆସୁଥିବା ଅଧିକାଂଶ ରୋଗୀ କାଶ, ଥଣ୍ଡା ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲର ଡାକ୍ତର ଆଶିଷ କୁମାର ପ୍ରକାଶ କହିଛନ୍ତି। ସେହିପରି ଇଏନ୍ଟି ରୋଗୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବିଭାଗୀୟ ଡାକ୍ତର ସୁରେଶ ସିଂ ନରୁକା କହିଛନ୍ତି।
ଦିଲ୍ଲୀ ବାୟୁ ପ୍ରଦୂଷଣର ୩୮ ପ୍ରତିଶତ କେବଳ ନଡ଼ା ପୋଡ଼ି କାରଣରୁ ହେଉଥିବା ଜଣାପଡ଼ିଛି। ଜାତୀୟ ରାଜଧାନୀ ଉପରେ ଧୂମାଚ୍ଛନ୍ନ ସ୍ତରର ମୁଖ୍ୟ କାରଣ ନଡ଼ା ପୋଡ଼ି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତବର୍ଷ ପଞ୍ଜାବରେ ନଡ଼ା ପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ପ୍ରଦୂଷଣ ୧୯ ପ୍ରତିଶତ ବଢ଼ିଥିଲା। ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା। ପଡୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଯୋଗୁ ନୋଏଡ଼ାରେ ବାୟୁ ସର୍ବାଧିକ ପ୍ରଦୂଷିତ ହେଉଥିବାବେଳେ ଗୁରୁଗ୍ରାମ ଏବଂ ଲୋଧିରୋଡ୍ ଅଞ୍ଚଳ ଅପେକ୍ଷାକୃତ କମ୍ ପ୍ରଦୂଷିତ ହୋଇଛି।