ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…

ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ସହିତ ବନ୍ଧକ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ତାଲିବାନ ଆତଙ୍କବାଦୀମାନେ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ମନା କରିଦେଇଥିଲେ। ସରକାର ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଦୁଇ ଦିନିଆ ବିବାଦକୁ ଶେଷ କରିବା ପାଇଁ ସ୍ବତନ୍ତ୍ର ବାହିନୀ ଏହି ଅପରେଶନ ଆରମ୍ଭ କରିଥିଲେ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ ସେନା ଅପରେଶନରେ ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଲୋକଙ୍କୁ ବାନ୍ନୁସ୍ଥିତ ଆତଙ୍କବାଦୀ ବିରୋଧୀ କେନ୍ଦ୍ରରେ ବନ୍ଧକ ରଖାଯାଇଥିଲା।

ଏହି ସଙ୍କଟକୁ ଦୂର କରିବା ପାଇଁ ପାକ ସରକାର ଆତଙ୍କବାଦୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହେବା ପରେ ସେନାର ଏସଏସଜି କମାଣ୍ଡୋ କେନ୍ଦ୍ରର କମ୍ପାଉଣ୍ଡ ଉପରେ ଆକ୍ରମଣ କରିଥିଲେ। ଜାତୀୟ ସଭାରେ ଯୋଗ ଦେଇ ଆସିଫ କହିଛନ୍ତି ଯେ ଏସଏସଜି କମାଣ୍ଡୋ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରେ ଏହି ଅପରେଶନ ଆରମ୍ଭ କରିଥିଲେ ଏବଂ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ।

ସେ କହିଛନ୍ତି ଯେ କମ୍ପ୍ଲେକ୍ସରୁ ୩୩ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅପରେଶନ ସମୟରେ ଦୁଇ ଜଣ କମାଣ୍ଡୋଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ସେ କହିଛନ୍ତି ଯେ ଅପରାହ୍ନ ୨ଟା ୩୦ ସୁଦ୍ଧା ସମଗ୍ର ସିଟିଡି ପରିସରକୁ ଖାଲି କରାଯାଇଛି।

Share