୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲୁଛି। ସେମାନଙ୍କ ପାଇଁ ଉକ୍ତଦିନଠାରୁ ହଷ୍ଟେଲ ମଧ୍ୟ ଖୋଲିବ। ପୂର୍ବରୁ ହଷ୍ଟେଲ ଖୋଲିବ ନାହିଁ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନର କରୋନା ସ୍ଥିତି ଓ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ସମସ୍ତ ସ୍କୁଲ ଓ ଘରୋଇ ସ୍କୁଲଗୁଡ଼ିକ ସେମାନଙ୍କ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିପାରିବେ। ତେବେ ହଷ୍ଟେଲ ଖୋଲିବା ପାଇଁ ରାଜ୍ୟ ସରକାର ଏସ୍‌ଓପି ପ୍ରସ୍ତୁତ କରିଛନ୍ତି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ବୁଧବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ବିଭାଗ ପକ୍ଷରୁ ଜାରି ଏସ୍‌ଓପି ଅନୁସାରେ, ପିଲା ହଷ୍ଟେଲରେ ରହିବା ପୂର୍ବରୁ ଘର ଲୋକଙ୍କ ଅନୁମତି ଆଣିବା ଜରୁରୀ। ହଷ୍ଟେଲରେ ପିଲାମାନେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବେ। ମେସ୍‌ କିମ୍ବା ଶୌଚାଳୟ ଭଳି କମନ ଏରିଆରେ ଭଲ ଭାବେ ପର୍ଯ୍ୟାୟକ୍ରମେ ସାନିଟାଇଜ କରିବା ସହ ପର୍ଯ୍ୟାପ୍ତ ସାବୁନ/ସାନିଟାଇଜର ରଖିବାକୁ କୁହାଯାଇଛି। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କାଉନ୍‌ସିଲ କରାଯିବ। ସ୍ବାସ୍ଥ୍ୟ ଚେକ୍‌ ଅପ୍‌ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହିତ କର୍ତ୍ତୃପକ୍ଷ ଜଡ଼ିତ ରହିବେ। ପିଲାମାନେ ଏକତ୍ରିତ ନ ହେବାକୁ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ହଷ୍ଟେଲ ଭିତରେ ଏକ ଆଇସୋଲେଶନ ରୁମ୍‌ କରାଯିବ। କୌଣସି ପିଲା ହଠାତ୍‌ ଅସୁସ୍ଥ ହୋଇପଡିଲେ ତାଙ୍କୁ ଆଇସୋଲେଶନ ରୁମ୍‌ରେ ରଖି ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ କରୋନା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share