୧୫ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଆସନ୍ତା ୧୫ ତାରିଖରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ହନ୍ତସନ୍ତ କରିବ । ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ିବ। ପାରଦ ୪୫ ଡିଗ୍ରୀକୁ ଛୁଇଁବ। ବିଶେଷକରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେବ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିବ । କେତେକ ସ୍ଥାନରେ ପାରଦ ୪୪ରୁ ୪୫ ଡିଗ୍ରୀ ସେଲ୍‌ସିୟସ ହେବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ତାତି ଉପରମୁହାଁ ରହିବ। ଅନ୍ୟପକ୍ଷରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋଚା’ ଭୟଙ୍କର ରୂପ ଧାରଣ କରି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ରବିବାର ମଧ୍ୟାହ୍ନରେ ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ ବାଂଲାଦେଶ ଏବଂ ଉତ୍ତର ମ୍ୟାନ୍‌ମାର ଉପକୂଳରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୭୫ରୁ ୨୦୦ କିମି ବେଗରେ ବହିବ। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଆକାଶ ମେଘୁଆ ରହିବା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଅନ୍ୟପକ୍ଷରେ ରାଜ୍ୟରେ ତାତିର ପରିମାଣ ବଢ଼ିବାରେ ଲାଗିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୪୦.୧, ଟିଟିଲାଗଡ଼ ୪୦, ବୌଦ୍ଧ ୪୦ ଏବଂ ବରଗଡ଼ରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share