ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ପୋଡ଼ିଗଲା

ଆରଡି,୬।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଓଳଗ ଗାଁର ଦିଲୀପ ବାରିକଙ୍କ ଘରେ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲାଗି ଆସବାବପତ୍ର ସମେତ ସୁନାଗହଣା, ନଗଦ ୧ଲକ୍ଷରୁ ଅଧିକ ଟଙ୍କା ସହ ବହୁ ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଧାମନଗର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିସାରିଥିଲେ। ଖବର ପାଇ ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଦିଲୀପ ଝିଅ ବାହାଘର ପାଇଁ ନୂଆ ଆଲମାରୀ ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା କିଣି ଘରେ ରଖିଥିଲେ। ଅଗ୍ନିକାଣ୍ଡରେ ଏସବୁ ପୋଡିଯିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବିଦ୍ୟୁତ୍‌ ଶର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Share