ଦେଖୁ ଦେଖୁ ଧସିଗଲା ଘର

ପାଟନା,୫।୭: ବିହାରର ବିଭିନ୍ନ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ନଦୀଗୁଡ଼ିକ ଫୁଲିଯିବାରୁ ବର୍ତ୍ତମାନ ପ୍ରାୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିହାରର ମୋତିହାରି, ଦରଭଙ୍ଗା, ସୀତାମଢ଼ୀ ସମେତ ୧୦ଟି ଜିଲାର ଛୋଟ ବଡ଼ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ପୂର୍ବ ଚମ୍ପାରନ ତଥା ମୋତିହାରିରୁ ବାହାରିଥିବା ବୁଢ଼ି ଗଣ୍ଡକ ନଦୀ ଏବେ ବିପଦ ସଙ୍କେତ ଉପରେ ରହିଛି। ଲଗାଣ ବର୍ଷା ଯୋଗୁ ଅନେକ ଘର ଏବେ ପାଣିଘେରରେ। ଇତିମଧ୍ୟରେ ମୋତିହାରି ନଦୀ କୂଳରେ ଥିବା ଏକ ଘରର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ମୋତିହାରିର ଭବାନୀପୁରରେ ଥିବା ଏକ ଘର ଭୁଷୁଡି ପଡ଼ିଛି। କେହି କିଛି ଭାବିବା ପୂର୍ବରୁ ଦେଖୁ ଦେଖୁ ଉକ୍ତ ଘର ପାଣିରେ ବୁଡ଼ିଯାଇଥଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହାପୂର୍ବରୁ ଶନିବାର ମଧ୍ୟ ୪ଟି ଘର ଭୁଷୁଡି ପଡ଼ିଥିବା ଜଣାପଡ଼ିଛି। ନଦୀର ବଢ଼ୁଥିବା ଜଳସ୍ତର ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଏଥିପାଇଁ ତଳିଆ ଅଞ୍ଚଳ ଲୋକେ ଉପର ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି।

Share