ରୂପସା,୧୩।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଉଁଶବଣି ଗ୍ରାମରେ ରବିବାର ଦୀପାବଳି ପର୍ବରେ ତ୍ରିଲୋଚନ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।
ଘଟଣାରୁ ପ୍ରକାଶ, ତ୍ରିଲୋଚନଙ୍କ ପରିବାର ଲୋକେ ଘରେ ନ ଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରତାପ ପାଲଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଘରର ଆସବାବପତ୍ର, ବାସନ କୁସନ, ଲୁଗାପଟା, ଧାନ ଚାଉଳ ଆଦି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ସୋମବାର ରାଜସ୍ବ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଅନ୍ୟପକ୍ଷେ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।