ଗୃହ ଥାଇ ବନ୍ଦର କ୍ୱାର୍ଟର୍ସରେ ଥାନା ଚାଲିଛି

ପାରାଦୀପ,୧୧ା୪(ସ୍ବ.ପ୍ର.): ପାରାଦୀପର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ରେ ସ୍ଥାପିତ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ୍‌ ପାଖ ବନ୍ଦର କ୍ୱାର୍ଟର୍ସରେ ଏହି ଥାନା ଏବେ ଚାଲିଛି। କିନ୍ତୁ ଏହି ଥାନା ପାଇଁ ସ୍ବତନ୍ତ୍ର ଗୃହ ତିଆରି ହୋଇଛି ଏରସମା ବ୍ଲକ ଅନ୍ତର୍ଗତ ଜଟାଧାରୀମୁହାଣ ପାଖ ନୋଳିଆସାହି ଠାରେ। ୨୦୨୦ରେ ଉକ୍ତ ଥାନା ଉଦ୍‌ଘାଟିତ ହୋଇଥିଲା। ୨୦୨୧ମାର୍ଚ୍ଚରେ ପାରାଦୀପରୁ ନୋଳିଆସାହି ସ୍ଥାନାନ୍ତର ହୋଇଥିଲା। ସେଠାରେ ମାସାଧିକ ସମୟ ଥାନା ଚାଲିଲା ପରେ ପୁଣି ପାରାଦୀପର ପୂର୍ବ ଜାଗାକୁ ଫେରି ଆସିଥିଲା। ନୋଳିଆସାହିଠାରେ ଏବେ ନୂଆ ଥାନା ଗୃହ ଏବେ ପ୍ରାୟ ବନ୍ଦ ରହିଛି। କେବଳ ୨ଜଣ କର୍ମଚାରୀ ଗୃହକୁ ଜଗିକି ଅଛନ୍ତି।
୨୦୦୮ ନଭେମ୍ବର ୨୬ରେ ପାକିସ୍ତାନ ଆତଙ୍କବାଦୀମାନେ ଉପକୂଳ ସୀମା ଦେଇ ବମ୍ବେ ସହର ଉପରେ ଆକ୍ରମଣ କରିଥିଲେ। ଏହାପରେ ଉପକୂଳ ସୀମା ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ରଣନୀତି। ଯଥା କୋଷ୍ଟଗାର୍ଡକୁ ଅଧିକ କ୍ରିୟାଶୀଳ କରାଯିବା ସହ ଦେଶର ସମସ୍ତ ଉପକୂଳରେ ସାମୁଦ୍ରିକ ଥାନା କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ୧୮ଟି ସାମୁଦ୍ରିକ ଥାନା ପାଇଁ ଜାଗା ଚିହ୍ନଟ ହୋଇଥିଲା। ରାଜ୍ୟର ପ୍ରଥମ ସାମୁଦ୍ରିକ ଥାନା ପାରାଦୀପର ନେହେରୁବଙ୍ଗଳାଠାରେ ୨୦୦୯ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ଶେଷ ୧୮ ନଂ. ଥାନା ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ ହୋଇଛି। ପାରାଦୀପର ନୂଆବଜାରଠାରେ ଏହି ଥାନା ପାଇଁ ସ୍ବତନ୍ତ୍ର ସୀମା ନ ଥିଲା। ସେତେବେଳେ ପାରାଦୀପ ଆଦର୍ଶ ଥାନା ଅଧୀନରେ ଯାଉଥିବା ଷଣ୍ଢକୁଦ ବସ୍ତିକୁ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଞ୍ଚଳ ଭାବେ ଗୃହ ବିଭାଗ ବିଜ୍ଞପ୍ତି କରିଥିଲେ। ୨୦୨୧ ଯେତେବେଳେ ଥାନା ନୋଳିଆସାହି ଯାଇଥିଲା ସେତେବେଳେ ଷଣ୍ଢକୁଦ ଲୋକଙ୍କୁ ଅଭିଯୋଗ କରିବା ପାଇଁ ୪୨ କିମି ବାଟ ଯିବାକୁ ପଡିଥିଲା। ସେତେବେଳେ ଲୋକଙ୍କ ଅସୁବିଧା ହେବାରୁ ପୁଣି ପୂର୍ବ ସ୍ଥାନକୁ ଥାନାର ସମସ୍ତ ଆସବାବପତ୍ର ଫେରିଥିଲା। ଏଭଳି ଅବସ୍ଥାରେ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ସ୍ଥିତି ରହିଛି। ଥାନା ସ୍ଥାନାନ୍ତର ନ ହେବା ପ୍ରସଙ୍ଗରେ ଆଇଆଇସି ଦେବେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ସରକାରୀ ଭାବେ ସୀମା ନିର୍ଦ୍ଧାରଣ ହୋଇ ନ ଥିବାରୁ ଏପରି ହୋଇଛି। ଆଗକୁ ସେଠାରେ ଏକ ବଡ ବନ୍ଦର ହେବାକୁ ଯାଉଛି। ସେତେବେଳେ ଉକ୍ତ କମ୍ପାନୀ ପାଇଁ କାମ ଆରମ୍ଭ ହେଲେ ଥାନା ସ୍ଥାନାନ୍ତର ହୋଇପାରେ। ଏବେ ପୁଣି ସୀମା ନିର୍ଦ୍ଧାରଣ ହେବାର ଅଛି ବୋଲି ସେ କହିଛନ୍ତି।