
ମହାକାଳପଡ଼ା, ୨୪ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ, ଅସନ୍ତୁଳିତ ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ ଅବକ୍ଷୟ ଓ ଜନବସତିରେ ଚାଳଛପର ଘର ପରିବର୍ତ୍ତେ ପକ୍କାଘର ନିର୍ମାଣ ସାଜିଛି କାଳ। ୧୯୯୯ ମହାବାତ୍ୟା ପୂର୍ବରୁ ଗଁାଗଣ୍ଡାଗୁଡ଼ିକରେ ଥିବା ଚାଳଛପର ଓଳି ମୂଳେ ଘର ଚଟିଆଙ୍କ ଘର ପାଲଟିଥିଲା। ଏହି ସେଠି ଘରେ ଡିମ୍ବ ଦେଇ ଛୁଆ ଫୁଟିବା ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ଭାବେ ଜୀବନ ନିର୍ବାହ କରୁଥିଲେ। ବିପର୍ଯ୍ୟୟ ପାଇଁ ଘରଚଟିଆ ବଂଶ ହ୍ରାସ ପାଇବାରେ ଲାଗିଛି। ସମୟ ଥିଲା ଘରଚଟିଆ ଚାଳଛପର ଓଳି ମୂଳେ ବାସକଲେ ଶୁଭ ମନାଯାଏ ବୋଲି ବିଶ୍ୱାସ ରହିଛି। ଘରଚଟିଆଙ୍କ କିଚିରିମିଚିରି ଶବ୍ଦ ବେଶ୍ ମନକୁ ପ୍ରଫୁଲ୍ଲିତ କରିଥାଏ। ପ୍ରାକ୍ ବିପର୍ଯ୍ୟୟ ଢେର ଅଧିକ ପୂର୍ବରୁ ଏମାନେ ସଙ୍ଗ ବଦ୍ଧ ହୋଇ ନୀଳ ଆକାଶରେ ଚକ୍କର କାଟିଥାନ୍ତି। ଏବେ ପୂର୍ବଭଳି ଗଁା ଗଣ୍ଡାରେ ଚାଳ ଛପର ପରିବର୍ତ୍ତେ ବହୁଳ ସଂଖ୍ୟାରେ ପକ୍କାଘର ନିର୍ମାଣ ହେବା ଦ୍ୱାରା ବଦଳିଯାଇଛି ଘରଚଟିଆଙ୍କ ବଞ୍ଚତ୍ବାର ଠିକଣା। ଏଭଳି ଅଭାବନୀୟ ପରିସ୍ଥିତିରେ ନିଜର ବଞ୍ଚତ୍ବାକୁ ସଂଗ୍ରାମ କରୁଥିବା ଘରଚଟିଆଟି ବାସସ୍ଥାନ ଅଭାବରୁ ବିପଦପୂର୍ଣ୍ଣ ସ୍ଥାନରେ କାଠିକୁଟା ସଂଗ୍ରହକରି ନିଡ଼ ତିଆରି କରିବାରେ ବ୍ୟସ୍ତ ଅଛି। କୁନି ପକ୍ଷୀଟି କାହିଁ ଜାଣିବ ଯେଉଁ ବସାରେ ବାସ ତିଆରି ପାଇଁ ବସା ବାନ୍ଧୁଛି ତାହା ଭବିଷ୍ୟତ ପାଇଁ ବିପଦ। ତଥାପି ନିଜର ଭବିଷ୍ୟତ ପାଇଁ ୨ ପକ୍ଷୀ ଯମ ଦୁଆରେ ବସା ତିଆରି କରିବାରେ ନିମଗ୍ନ ଅଛନ୍ତି। କେଉଁ ମୁହୂର୍ତ୍ତରେ ଚାଲିଯାଇପାରେ ଜୀବନ। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଗୋବରୀ ନଦୀ କୂଳ ମହାକାଳପଡ଼ା-ଅଳାଇଲୋ ମୁଖ୍ୟ ରାସ୍ତାର ହନୁମାନ ମନ୍ଦିର ସନ୍ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଭିତରେ କୁଟାକାଠି ସଂଗ୍ରହକରି ଘରଚଟିଆ ବସା ତିଆରି କରିଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ପକ୍ଷୀପ୍ରେମୀ ତଥା ପରିବେଶବିତ୍ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି, ୯୦ ଦଶକ ପୂର୍ବରୁ ଆମ ଅଞ୍ଚଳର ଗଁାରେ ଚାଳଛପର ଘରେ ବହୁଳ ଭାବେ ଏମାନଙ୍କ ବସା ବାନ୍ଧିବା ଦେଖିବାକୁ ମିଳୁଥିଲା। ଏମାନଙ୍କ କିଚିରିମିଚିରି ଶବ୍ଦରେ ଆରମ୍ଭ ହେଉଥିଲା ସକାଳ। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ବେଶ୍ ଭୂମିକା ଥିଲା। ଏମାନଙ୍କର ମୁଖ୍ୟ ଖାଦ୍ୟ ଝିଣ୍ଟିକା, ପୋକ, ଜୋକ, ସୁଆଁ, ଧାନ ଚାଉଳ, ସୋରିଷ, ଚଣା ଆଦି ଖାଇଥାନ୍ତି। ଦୁର୍ବିପାକ, କଂକ୍ରିଟ ଜଙ୍ଗଲ ଓ କୃଷି କ୍ଷେତ୍ରରେ ବ୍ୟାପକ ପରିମାଣରେ ବ୍ୟବହାର ହେଉଥିବା କୀଟନାଶକ ପ୍ରୟୋଗ ଦ୍ୱାରା ଏମାନଙ୍କ ବଂଶ ଧୀରେ ଧୀରେ ଲୋପପାଇବାକୁ ବସିଛି। ସମୟ ଆସିବ ଏମାନଙ୍କର ବଂଶକୁ ସୁରକ୍ଷା ଦିଆ ନ ଗଲେ ଭବିଷ୍ୟତରେ ଏହାକୁ ଚିତ୍ରରେ ଦେଖିବା ସାର ହେବ ବୋଲି ସ୍ବାଇଁ ମତ ପ୍ରକାଶ କରିଛନ୍ତି।