ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ ୧୪ ଭରି ସୁନା, ୨୮ ଭରି ରୁପା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ପଲିଗ୍ରାଫ ପରୀକ୍ଷା ପରେ ପ୍ରମାଣ ମିଳିବାରୁ ଉଭୟଙ୍କୁ ଶନିବାର ଗିରଫ କରାଯାଇଥିଲା। ଅଭିଯୁକ୍ତ ଦ୍ୱୟ ହେଲେ ଦିଗପହଣ୍ଡି ବ୍ଲକ ଗୌଡ଼ଗାଁର ଗୁପ୍ତେଶ୍ୱର କୁଣ୍ଡ ଏବଂ ନାରାୟଣପୁର ଗ୍ରାମରେ ରହୁଥିବା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମର କୃତିବାସ ସାହୁ। କେ.ନୂଆଗାଁ ଥାନା ମାମଲା ନଂ.୨୨୩/୨୪ ଅନୁଯାୟୀ ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସ୍‌ଆଇ ଜଗବନ୍ଧୁ ବାର୍ଲା ଉଭୟଙ୍କୁ କୋର୍ଟ ଚାଲାଣ କରିଛନ୍ତି। ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଯାଇଛି।

ଗତ ଜୁଲାଇ ୧୯ରେ ଘରେ କେହି ନ ଥିବା ସୁଯୋଗ ନେଇ ଗୁପ୍ତେଶ୍ୱର ଓ କୃତିବାସ ତାଙ୍କର ଜଣେ ସହଯୋଗୀଙ୍କ ସହାୟତାରେ ଚୋରି କରି ଫେରାର ହୋଇଯାଇଥିଲେ। ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ସୁଲତା ପଟ୍ଟନାୟକ ଘଟଣା ପରଦିନ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ଆଇଆଇସି କିଶୋର ସାମଲ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ ମିଳି ନ ଥିଲା। ଘଟଣା ଦିନ ରାତିରେ ଅଭିଯୁକ୍ତ ଦ୍ୱୟ ଏବଂ ଅନ୍ୟ ଜଣେ ରାତି ପ୍ରାୟ ସାଢ଼େ ୧୨ଟାରେ ଚାଲି ଚାଲି ଦାଉଣି ଗ୍ରାମକୁ ଯାଉଥିବା ବେଳେ ସେମାନଙ୍କ ସମ୍ପର୍କରେ ଗ୍ରାମର ଜଣେ ଯୁବକ ସୂଚନା ଦେଇଥିଲେ। ପରେ ଅଭିଯୁକ୍ତ ଗୁପ୍ତେଶ୍ୱର ଓ କୃତିବାସଙ୍କୁ ପୋଲିସ ଉଠାଇ ନେଇଥିଲା। ଭୁବନେଶ୍ୱରସ୍ଥିତ ରାଜ୍ୟ ଫରେନ୍ସିକ ଲ୍ୟାବରେ ଉଭୟଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ସେଠାରୁ ରିପୋର୍ଟ ମିଳିବା ପରେ ସେମାନଙ୍କୁ ପୁଣି ପଚରାଉଚୁରା କରାଯାଇଥିଲା। ଗୁପ୍ତେଶ୍ୱର ଓ କୃତିବାସ ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରିଥିଲେ। ଚୋରି କରିଥିବା ୨ ହଜାର ଟଙ୍କାକୁ ପୋଲିସ ଗୁପ୍ତେଶ୍ୱରଙ୍କ ନିକଟରୁ ଜବତ କରିଥିବା ଜଣାପଡ଼ିଛି।

Share