କ.ନୂଆଗାଁ,୧୬।୫(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉଦ୍ଧର୍ବ ଲୋକଙ୍କ ଘର ଆଜ୍ବେଷ୍ଟସ୍ ଉଡ଼ିଯାଇଛି l ଛପର ଉଡିଯିବା ଫଳରେ ଘରେ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ବର୍ଷା ପାଣିରେ ନଷ୍ଟ ହୋଇଛି। ଗ୍ରାମର ମତ୍ୟୁଞ୍ଜୟ ପ୍ରଧାନ, ଶିବନାଥ ମଳିକ, ରାଜୀବ ପ୍ରଧାନ, ଲବ ପ୍ରଧାନ, ରାନ୍ଦ ପ୍ରଧାନ, ନନ୍ଦ ପ୍ରଧାନ, କୁଜିଙ୍ଗା ପ୍ରଧାନ, ପୁତୁସା ପ୍ରଧାନ, ବିବଚ ପ୍ରଧାନ, ଇରାମ ଦିଗାଲ, ନମା ଦିଗାଲ, ଶାସିରି ଦିଗାଲ, କରମ ସିଂ ଦିଗାଲଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗ୍ରାମରେ କାଳବୈଶାଖୀରେ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ତରଫରୁ ଗୋଟିଏ ଲେଖାଏ ଜରିପାଲ ଦିଆଯାଇଥିଲା। ସେଗୁଡିକ ଛୋଟ ହୋଇଥିବାରୁ ଘରର ଅଧା ଛପର ଘୋଡ଼ାଇ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l କାଳବୈଶାଖୀରେ କ୍ଷତି ସମ୍ପର୍କରେ ରାଜସ୍ବ ନିରୀକ୍ଷକଙ୍କୁ ୱାର୍ଡ ମେମ୍ବର ସାନାପା ଦିଗାଲ ଫୋନ ଯୋଗେ ଜଣାଇଥିବା କହିଛନ୍ତି। ଅନ୍ୟପଟେ ପଞ୍ଚାୟତର ସମସ୍ତ ୱାର୍ଡରେ ବିଜୁ ପକ୍କା ଘର ଦିଆଯାଇଥିବା ବେଳେ ୧୧ ନମ୍ବର ୱାର୍ଡ ବୁଡ୍ରୁମାହାରେ ଜଣେ ହେଲେ ବି ପକ୍କାଘର ପାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l