କାଳବୈଶାଖୀରେ ଭାଙ୍ଗିଲା ଘର, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରୁକୋଣ୍ଡା,୬।୫(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ସଦର ସମେତ ଆଖପାଖ ପଞ୍ଚାୟତରେ କାଳବୈଶାଖୀରେ ଝଡ଼ତୋଫା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଜୋରରେ ପବନ ବହିବା ଯୋଗୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ସେହିପରି କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତର ସର୍ଗିଗୁଡ, ପୁଷ୍ପାଲି, ବନୁର, ସାହେବଗୁଡ ଆଦି ଗ୍ରାମରେ ଲୋକଙ୍କ ଘର ଭାଙ୍ଗି ଟିଣ ଉଡି ଯାଇଥିଲା। ସେହିପରି କୋରୁକୋଣ୍ଡା ସଦରରେ ଥିବା ଏକ ଦୋକାନ ଆଜବେଷ୍ଟସ୍‌ ଉଡି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଏପରି କି ଦୋକାନର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଦୋକାନୀ କହିଛନ୍ତି।

ସେହିପରି ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତା ତାର୍ଲାକୋଟା ଛକରେ ଏକ ବିରାଟକାୟ ଗଛ ଉପୁଡି ରାସ୍ତା ମଝିରେ ପଡିିଥିଲା। ଫଳରେ ୨ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। କୋରୁକୋଣ୍ଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଶୁକ୍ରବାର କୋରୁକୋଣ୍ଡା ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏପରି କି ଭାଙ୍ଗି ଯାଇଥିବା ଘରର ପରିବାର ଲୋକଙ୍କୁ ପଲିଥିନ ବାଣ୍ଟିଥିଲେ। କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି କାଳବୈଶାଖୀ ପୋଟ୍ରେଲ ଛକରେ ଥିବା ଏକ ଦୋକାନ ଗୃହ ମଧ୍ୟ ସମ୍ପୂର୍ଣ ଭାଙ୍ଗି ଯାଇଛି । ଆଗକୁ ବର୍ଷା ଦିନ ଆସୁ ଥିବାରୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।