ଗୃହିଣୀଙ୍କ ମୂଲ୍ୟାୟନ

ପ୍ରକାଶ ତ୍ରିପାଠୀ

 

ମୋ ପତ୍ନୀ କିଛି କରନ୍ତିନି, ସେ ଜଣେ ଗୃହିଣୀ। ସେ କିଛି କରନ୍ତିନି ବୋଲି ଘରେ ରୋଷେଇବାସ କରନ୍ତି, ଘରର ସମସ୍ତଙ୍କୁ ଠିକ୍‌ ସମୟରେ ସକାଳେ, ମଧ୍ୟାହ୍ନରେ ଓ ରାତିରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତକରି ଖାଇବାକୁ ଦିଅନ୍ତି। ଘର ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଘରର ସମସ୍ତ ସଦସ୍ୟଙ୍କ ଲୁଗାପଟା ସଫା କରନ୍ତି। ଘରେ କିଏ ରୋଗରେ ପଡିଲେ ସେବା କରନ୍ତି। ଘରର ବୟୋଜ୍ୟେଷ୍ଠମାନଙ୍କ ସେବାଯତ୍ନ କରିବା ସହ ଛୋଟ ପିଲାମାନଙ୍କୁ ଲାଳନପାଳନ କରନ୍ତି। ପିଲାଙ୍କ ହୋମ୍‌ ୱାର୍କରେ ସାହାଯ୍ୟ କରିବା ସହ ସେମାନେ ଠିକ୍‌ ସମୟରେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ କରାନ୍ତି। ଘରକୁ ବନ୍ଧୁବାନ୍ଧବ ଆସିଲେ ସେମାନଙ୍କୁ ଉଚିତ ସତ୍କାର କରନ୍ତି। ଗୃହିଣୀମାନେ ଘରେ ଏହିଭଳି ଅନେକ କାମ କରିଥାନ୍ତି କାରଣ ସେ ଜଣେ ଗୃହିଣୀ ବା ଆଧୁନିକ ଭାଷାରେ ହାଉସ ୱାଇଫ୍‌। ଘରେ କେହି ଉଠିବା ଆଗରୁ ଗୃହିଣୀମାନେ ପ୍ରଥମେ ଉଠିଥାନ୍ତି ଓ ସମସ୍ତେ ଶୋଇବା ପରେ ସବୁ କାମସାରି ଶୋଇବାକୁ ଯାଇଥାନ୍ତି। ସକାଳେ ଶଯ୍ୟା ତ୍ୟାଗଠାରୁ ରାତ୍ର ଶୋଇବା ପର୍ଯ୍ୟନ୍ତ ଏମାନେ କାର୍ଯ୍ୟ କରୁଥିଲେ ବି ଏମାନଙ୍କ କାର୍ଯ୍ୟକୁ ହିସାବ କରାଯାଇ ନ ଥାଏ। ବାହାରେ କୌଣସି କାର୍ଯ୍ୟାଳୟ ବା ଅନୁଷ୍ଠାନରେ ଏମାନେ ସେବା ଓ ଶ୍ରମ ପ୍ରଦାନ କରି ନ ଥାନ୍ତି ବା କେଉଁଠାରୁ ଦରମା ପାଇ ନ ଥାନ୍ତି। ନିଜ ଘରେ ଅବିରତ କାର୍ଯ୍ୟକରି କୌଣସି ପାରିଶ୍ରମିକ ଦାବି କରୁ ନ ଥିବାରୁ ଏମାନେ କିଛି କାମ କରନ୍ତିନି ବୋଲି ଧରି ନିଆଯାଏ, ଯାହାକି ସମ୍ପୂର୍ଣ୍ଣ ଭୁଲ। ନିକଟରେ ସୁପ୍ରିମକୋର୍ଟ ପରିବାରରେ ଗୃହିଣୀମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ମତ ରଖିବା ନିଶ୍ଚିତ ଏକ ଭଲ ଖବର ଓ ସେମାନଙ୍କ ଉପରେ ନିକୃଷ୍ଟ ଚିନ୍ତା ରଖୁଥିବା ପୁରୁଷମାନେ ସେମାନଙ୍କ ଭାବନାରେ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଛି।
୨୦୦୬ରେ ଉତ୍ତରାଖଣ୍ଡରେ ବସ୍‌ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଓ ତାଙ୍କର ନାବାଳକ ପୁତ୍ରକୁ କ୍ଷତିପୂରଣ ବାବଦରେ ଅଢେଇ ଲକ୍ଷ ଟଙ୍କା ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ଅସନ୍ତୁଷ୍ଟ ହୋଇ ମୃତ ମହିଳାଙ୍କ ସ୍ବାମୀ ଉତ୍ତରାଖଣ୍ଡ ହାଇକୋର୍ଟରେ ଦରଖାସ୍ତ କରିଥିଲେ। ମାତ୍ର ତାଙ୍କର ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ମହିଳା ଜଣଙ୍କ ଜଣେ ଗୃହିଣୀ ଥିଲେ ଓ ତାଙ୍କର ଆୟକୁ ଜଣେ ଦିନ ମଜୁରିଆର ଆୟ ସହ ତୁଳନା କରି ଟ୍ରିବ୍ୟୁନାଲ କ୍ଷତିପୂରଣ ସ୍ଥିରୀକୃତ କରିଥିଲେ, ଯାହାକୁ ହାଇକୋର୍ଟ ଠିକ୍‌ ଦର୍ଶାଇଥିଲେ। ହାଇକୋର୍ଟଙ୍କ ବିଚାରରେ ଅସନ୍ତୁଷ୍ଟ ମୃତ ମହିଳାଙ୍କ ସ୍ବାମୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ। ସୁପ୍ରିମକୋର୍ଟ ମାମଲାର ବିଚାର କରି ରାୟ ଦେଇଥିଲେ ଯେ ଜଣେ ଗୃହିଣୀର ଆୟକୁ କିପରି ଜଣେ ଦିନମଜୁରିଆର ଆୟ ସହ ତୁଳନା କରାଯିବ? କୌଣସି କାର୍ଯ୍ୟାଳୟରେ ଚାକିରି କରୁଥିବା ଜଣେ ପୁରୁଷର ରୋଜଗାରଠାରୁ ଘରେ ଥିବା ତା’ର ଗୃହିଣୀ ବା ପତ୍ନୀଙ୍କ ରୋଜଗାର କମ୍‌ ନୁହେଁ। ପରିବାର ପ୍ରତି ଗୃହିଣୀଙ୍କ ସମର୍ପିତ ସମୟ, ସେବା ଓ କାର୍ଯ୍ୟକୁ ଅଣଦେଖା କରାଯିବା ଅନୁଚିତ। କ୍ଷତିପୂରଣ ରାଶିକୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଏହାକୁ ତୁରନ୍ତ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
୨୦୧୧ ଜନଗଣନା ଅନୁଯାୟୀ, ପ୍ରାୟ ୧୬ କୋଟି ମହିଳା ଘରୋଇ କାର୍ଯ୍ୟକୁ ସେମାନଙ୍କର ମୁଖ୍ୟ ବୃତ୍ତି ଭାବରେ ଉଲ୍ଲେଖ କରିଥିବା ବେଳେ ମାତ୍ର ୫.୭୯ ନିୟୁତ ପୁରୁଷ ଘରୋଇ କାର୍ଯ୍ୟ କରୁଥିବା ତଥ୍ୟ ପ୍ରକାଶ ପାଇଥିଲା। ଜାତୀୟ ପରିସଂଖ୍ୟାନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ‘ଭାରତରେ ମହିଳାମାନେ ହାରାହାରି ଦିନକୁ ପ୍ରାୟ ୨୯୯ ମିନିଟ ଘର ପାଇଁ ବ୍ୟୟ କରୁଥିବା ବେଳେ ପୁରୁଷମାନେ ମାତ୍ର ୯୭ ମିନିଟ ଉପଯୋଗ କରିଥାନ୍ତି। ପୁରୁଷଙ୍କ ଅପେକ୍ଷା ଘର ପାଇଁ ଅଧିକ ସମୟ ବ୍ୟୟ କରୁଥିବା ମହିଳାଙ୍କୁ ଗୁରୁତ୍ୱ ଦିଆ ନ ଯିବା ଓ ତାଙ୍କର କାର୍ଯ୍ୟ ବା ସେବାକୁ ଅଣଦେଖା କରାଯିବା ପରିତାପର ବିଷୟ। ଜଣେ ଗୃହିଣୀ ଆବଶ୍ୟକତା ଅନୁଯାୟୀ ଘରର ଆର୍ଥିକ ବ୍ୟବସ୍ଥାର ସୁପରିଚାଳନା କରନ୍ତି, ଏହା ସହ ପରିବାରରେ ରୋଜଗାର ବୃଦ୍ଧି ପାଇଁ ସ୍ବାମୀଙ୍କୁ କୃଷି କାର୍ଯ୍ୟରେ ସହଯୋଗ କରିବା, ଘରେ ଗୃହପାଳିତ ପ୍ରାଣୀ ରଖିବା, ବଡି, ପାମ୍ପଡ, ଆଚାର, ଶୁଖୁଆ ପ୍ରସ୍ତୁତି କରି ବିକିବା ଇତ୍ୟାଦି ଅନେକ ରୋଜଗାରଭିତ୍ତିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତି। ୨୦୨୦ରେ ଅଭିନେତା-ରାଜନେତା କମଲ ହାସନ ଗୃହିଣୀମାନଙ୍କ ଅବଦାନକୁ ଉପଲବ୍ଧି କରିଥିଲେ। ସେଥିପାଇଁ ସେମାନଙ୍କ ଅଜ୍ଞାତ ତଥା ଅଣସଂଗଠିତ ଶ୍ରମ ପାଇଁ ଗୃହିଣୀମାନଙ୍କ ଲାଗି ଦରମା ପ୍ରତିଶ୍ରୁତି ଦେଇଥିଲେ ନିଜର ରାଜନୈତିକ ଦଳର ନିର୍ବାଚନ ଇସ୍ତାହାରରେ।
ଏହି ପ୍ରସ୍ତାବ ତାଙ୍କ ନିର୍ବାଚନୀ ଇସ୍ତାହାରର ଏକ ଅଂଶ ଥିଲେ ବି ରାଜ୍ୟ ନିର୍ବାଚନରେ ଦଳ ହାରିଯିବାରୁ ତାହା ଅନ୍ଧାର ଭିତରେ ରହିଗଲା।
ଯେହେତୁ ଜଣେ ଗୃହିଣୀ ନିଜର ପିଲାମାନଙ୍କର ବୌଦ୍ଧିକ, ଭାବଗତ ତଥା ସାମାଜିକ ସୁସ୍ଥତାକୁ ଆକୃଷ୍ଟ କରିବା ଦିଗରେ ଯେପରି କାର୍ଯ୍ୟ କରନ୍ତି, ଯାହା ସାଧାରଣତଃ ଟଙ୍କା ବିନିମୟରେ ଜଣେ ବାହାର ଲୋକ ଦ୍ୱାରା କରାଯାଇପାରିବ ନାହିଁ। ସେହିପରି ପରିବାର ସଦସ୍ୟଙ୍କ ପାଇଁ ରନ୍ଧାବଢା ହେଉ ବା ଘରେ ହଠାତ୍‌ କେହି ଅସୁସ୍ଥ ହେଲା ପରେ ତାଙ୍କର ସେବାଯତ୍ନ ହେଉ, ଏପରି ଆନ୍ତରିକତା ସମ୍ପନ୍ନ ସେବା ପ୍ରଦାନ ଟଙ୍କା ବିନିମୟରେ କୌଣସି ବାହାର ଲୋକଙ୍କ ଦ୍ବାରା ସମ୍ପନ୍ନ ହୋଇପାରିବ ନାହିଁ। ଯଦି ସକାଳୁ ରାତ୍ରି ପର୍ଯ୍ୟନ୍ତ ଜଣେ ଗୃହିଣୀଙ୍କ କାର୍ଯ୍ୟକୁ ତର୍ଜମା କରାଯାଏ, ତେବେ ତାହାର ମୂଲ୍ୟାୟନ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ମାତ୍ର ଲିଙ୍ଗଗତ ଅସମାନତା କାରଣରୁ ତଥା ପୁରୁଷପ୍ରାଧାନ୍ୟ ମାନସିକତା କାରଣରୁ ଗୃହଣୀମାନଙ୍କ କାର୍ଯ୍ୟ ଓ ସେବାକୁ ସର୍ବଦା ଅଣଦେଖା କରାଯାଇ ଆସୁଛି।
ଆମର ବେଦ ଓ ଉପନିଷେଦରେ ମଧ୍ୟ ଗୃହିଣୀମାନଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରାଯାଇଛି। ଗୃହକୁ ତଥା ରାଷ୍ଟ୍ରକୁ ଉତ୍ତମ ସନ୍ତାନ ଉତ୍ପନକରି ପ୍ରଦାନ କରୁଥିବାରୁ ସେମାନଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଜଣେ ଗୃହିଣୀ ମା’ ହେବା ପରେ ନିଜ ସନ୍ତାନର ପ୍ରଥମ ନିର୍ମାତ୍ରୀ ତଥା ପ୍ରଥମ ଶିକ୍ଷାଦାତ୍ରୀ ଭାବେ ପରିଗଣିତ ହୋଇଥାଏ। ସେଥିପାଇଁ କୁହାଯାଏ ମା’ ପରି କେହି ଗୁରୁ ହୋଇପାରନ୍ତି ନାହିଁ। ଆଜି ପର୍ଯ୍ୟନ୍ତ କୌଣସି ଗୃହିଣୀ ନିଜ ଘର ପାଇଁ କରୁଥିବା କାର୍ଯ୍ୟ ଓ ସେବା ପାଇଁ ପାରିଶ୍ରମିକ ଦାବି କରିନାହାନ୍ତି କି ସେମାନଙ୍କ କାର୍ଯ୍ୟର ମୂଲ୍ୟାୟନ କରିନାହାନ୍ତି। ଏହା ହିଁ ସେମାନଙ୍କର ମହାନତା ଓ ଉଦାରତା। ସେମାନଙ୍କ ସେବା ଓ କାର୍ଯ୍ୟ ମୂଲ୍ୟାୟନ ବି ଅସମ୍ଭବ। ସେ କରୁଥିବା ବିଭିନ୍ନ କାର୍ଯ୍ୟ ଓ ସେବା ପାଇଁ ଯଦି ଲୋକ ନିଯୁକ୍ତି କରାଯାଏ, ତେବେ ସେ ବାବଦରେ କେତେ ପାରିଶ୍ରମିକ ବ୍ୟୟ କରିବାକୁ ପଡିବ ତାହା ବିଚାର ସାପେକ୍ଷ। ଗୃହକର୍ତ୍ତାଟିଏ ବାହାରେ ରୋଜଗାର କରି ଯେତିକି ଅର୍ଥ ଘରକୁ ଆଣେ, ତା’ର କାହିଁ କେତେଗୁଣ ଅର୍ଥ ଗୃହିଣୀଟିଏ ନିଜ ଘରର ସବୁକାମ କରି ବ୍ୟୟ ବଞ୍ଚାଇ ଥାଏ। ଏହାକୁ ସମଗ୍ର ପୁରୁଷ ସମାଜ ବୁଝିବା ଦରକାର।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

ଅର୍ଥନୀତିରେ ହାତୀ

ଓଡ଼ିଶାରେ ହାତୀ ସଂଖ୍ୟା ବୃଦ୍ଧି ଉପରେ ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ର ୨୦୨୪ ରିପୋର୍ଟକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ନିୟମିତ ବ୍ୟବଧାନରେ ଘଟୁଥିବା ହାତୀ...

ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା...

ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri