କେନ୍ଦ୍ରୀୟ ଇସ୍ରାଏଲ୍‌ରେ ହୁଟିର ମିଶାଇଲ ମାଡ଼

ଜେରୁଜେଲମ୍‌,୧୬ା୯: ଉତ୍ତର ୟେମେନ୍‌କୁ ନିୟନ୍ତ୍ରଣରେ ରଖିଥିବା ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଇସ୍ରାଏଲ୍‌ରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ସେମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ହୁଟି ସାମରିକ ମୁଖପାତ୍ର ୟାହୟା ସାରେଆଙ୍କ କହିବା ଅନୁଯାୟୀ, ସେମାନେ ଛାଡ଼ିଥିବା ନୂଆ ହାଇପରସୋନିକ୍‌ ବାଲିଷ୍ଟିକ୍‌ ମିଶାଇଲ ମାତ୍ର ୧୧.୫ ମିନିଟରେ ୨,୦୪୦ କିଲୋମିଟର ଅତିକ୍ରମ କରି କେନ୍ଦ୍ରୀୟ ଇସ୍ରାଏଲ୍‌ରେ ମାଡ଼ କରିଥିଲା। ତେବେ ଏହା ଏକ ଖୋଲା ସ୍ଥାନରେ ପଡ଼ିଥିବାରୁ କେହି ମୃତାହତ ହୋଇନାହାନ୍ତି। କ୍ଷେପଣାସ୍ତ୍ର ପଡ଼ିବା ପୂର୍ବରୁ ସକାଳ ୬ଟା ୩୫ ମିନିଟ୍‌ ସମୟରେ ତେଲ୍‌ ଆଭିଭ୍‌ ଏବଂ କେନ୍ଦ୍ରୀୟ ଇସ୍ରାଏଲ୍‌ରେ ଏୟାର ରେଡ୍‌ ସାଇରନ୍‌ ବାଜିଉଠିବାରୁ ଲୋକମାନେ ଘରକୁ ପଳାଇଥିଲେ। ଏକ ଖୋଲା ସ୍ଥାନରୁ ପ୍ରବଳ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଗତ ଜୁଲାଇରେ ତେଲ୍‌ ଆଭିଭ୍‌ରେ ହୁଟି ବିଦ୍ରୋହୀ ଡ୍ରୋନ୍‌ ଆକ୍ରମଣ କରିବାରୁ ଇସ୍ରାଏଲ୍‌ ଏହାର ଜବାବରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏବେ ହୁଟି କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାରୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କ୍ୟାବିନେଟ ବୈଠକରେ ନେତାନ୍ୟାହୁ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ୍‌ ଗାଜାରେ ଯୁଦ୍ଧ ଚଳାଇଥିବାବେଳେ ହୁଟି ବିଦ୍ରୋହୀମାନେ ବାରମ୍ବାର ମିଶାଇଲ ଏବଂ ଡ୍ରୋନ୍‌ରେ ଜେରୁଜେଲମ୍‌କୁ ଟାର୍ଗେଟ କରିଆସୁଛନ୍ତି।

Share