Categories: ଜାତୀୟ

ଏକ୍‌ଜିଟ ପୋଲ୍‌ କେତେ ଠିକ୍‌? ଫଳାଫଳକୁ ଦେଖିଲେ…

ନୂଆଦିଲ୍ଲୀ,୨ା୬: ୨୦୨୪ ଲୋକ ସଭା ନିର୍ବାଚନ ଶନିବାର ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବହୁପ୍ରତୀକ୍ଷିତ ଏକ୍‌ଜିଟ ପୋଲ୍‌ ବା ବୁ୍‌ଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପ୍ରାୟ ସବୁ ସଂସ୍ଥା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସର୍ବାଧିକ ଆସନ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୪ ତାରିଖରେ ଭୋଟଗଣତି କରାଯାଇ ପ୍ରକୃତ ଫଳାଫଳ ପ୍ରକାଶ ପାଇବ। ତେବେ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ ଅନେକ ସମୟରେ ଠିକ୍‌ ହୋଇ ନ ଥାଏ। ଅତୀତରେ ଏଭଳି ଦେଖାଯାଇଛି। ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନର ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ ଏବଂ ପ୍ରକୃତ ଫଳାଫଳକୁ ଦେଖିଲେ, ତାହା ସ୍ପଷ୍ଟ ବାରିହୁଏ।

୨୦୧୪ରେ ଅଧିକାଂଶ ଏକ୍‌ଜିଟ ପୋଲ୍‌ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଢ଼ିବେ ବୋଲି ପୂର୍ବାନୁମାନ କରିଥିଲେ ମଧ୍ୟ ଏତେ ସଂଖ୍ୟାରେ ଆସନ ଜିତି ଐତିହାସିକ ବିଜୟ ହାସଲ କରିବ ବୋଲି ଠିକ୍‌ ଆକଳନ କେହି କରିପାରି ନ ଥିଲେ। ଏହି ପର୍ଯ୍ୟାୟରେ ଏନ୍‌ଡିଏ ୨୭୨ ଆସନ ପାଇବ ବୋଲି ଇଣ୍ଡିଆ ଟୁଡେ-ସିସେରୋ କହିଥିବାବେଳେ ନ୍ୟୁଜ୍‌ ୨୪-ଚାଣକ୍ୟ ଏନ୍‌ଡିଏକୁ ୩୬୦ ଆସନ, ସିଏନ୍‌ଏନ୍‌-ଆଇବିଏନ୍‌-ସିଏସ୍‌ଡିଏସ୍‌ ୨୮୦ ଆସନ, ଟାଇମ୍ସ ନାଓ ଓଆର୍‌ଜି ୨୪୯ ଆସନ, ଏବିପି ନ୍ୟୁଜ-ନିଏଲସେନ୍‌ ୨୭୪ ଏବଂ ଏନ୍‌ଡିଟିଭି-ହଂସା ରିସର୍ଚ୍ଚ ୨୭୯ ଆସନ ଦେଇଥିଲା। ଅନ୍ୟପକ୍ଷରେ ଏହି ସଂସ୍ଥାଗୁଡ଼ିକ କଂଗ୍ରେସ ନେତୃତ୍ୱାଧୀନ ଉପାକୁ ୯୭ରୁ ୧୪୮ ଆସନ ଦେଇଥିଲେ। ସେହି ନିର୍ବାଚନର ପ୍ରକୃତ ଫଳାଫଳରେ ଏନ୍‌ଡିଏକୁ ୩୩୬ ଆସନ ମିଳିଥିବାବେଳେ କେବଳ ଭାଜପା ୧୮୨ ଆସନରେ ଜିତିଥିଲା। କଂଗ୍ରେସ ମାତ୍ର ୪୪ ଆସନ ଜିତିବାକୁ ସକ୍ଷମ ହୋଇଥିବାବେଳେ ଉପାକୁ ୬୦ ଆସନରେ ସୀମିତ ରହିବାକୁ ପଡ଼ିଥିଲା।

୨୦୧୯ ନିର୍ବାଚନରେ ଇଣ୍ଡିଆ ଟୁଡେ-ଆକ୍ସିସ୍‌ ଏନ୍‌ଡିଏକୁ ୩୩୯-୩୬୫ ଆସନ ଦେଇଥିବାବେଳେ ନ୍ୟୁଜ୍‌ ୨୪-ଟୁଡେସ୍‌ ଚାଣକ୍ୟ ଏହି ମେଣ୍ଟ ୩୫୦ ଆସନ ଜିତିବ ବୋଲି ପୂର୍ବାନୁମାନ କରିଥିଲା। ନ୍ୟୁଜ୍‌ ୧୮-ଆଇପିଏସ୍‌ଓଏସ୍‌ ୩୩୬ ଆସନ, ଟାଇମ୍ସ ନାଓ ଭିଏମ୍‌ଆର୍‌ ୩୦୬ ଆସନ, ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ୩୦୦ ଆସନ ଏବଂ ସୁଦର୍ଶନ ନ୍ୟୁଜ୍‌ ୩୦୫ ଆସନ ଦେଇଥିଲା। ଅନ୍ୟପକ୍ଷରେ ଉପା ୭୭ରୁ ୧୩୨ ଆସନ ମଧ୍ୟରେ ସୀମିତ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପ୍ରକାଶ ପାଇଥିଲା। ପ୍ରକୃତ ଫଳାଫଳରେ ଭାଜପା ୩୦୩ ଆସନ ଜିତିଥିବାବେଳେ ଏନ୍‌ଡିଏକୁ ୩୫୨ ଆସନ ମିଳିଥିଲା। ସେହିପରି କଂଗ୍ରେସ ୫୨ ଆସନ ପାଇଥିବାବେଳେ ଉପା ୯୧ ଆସନରେ ସୀମିତ ରହିଥିଲା।

Share