Bad Cholesterol କେମିତି ହୋଇଥାଏ ପ୍ରାଣଘାତୀ

କୋଲେଷ୍ଟ୍ରଲ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଯାହା ସୁସ୍ଥ କୋଷ ଗଠନ, ହରମୋନ ଉତ୍ପାଦନ ଏବଂ ଭିଟାମିନ-ଡି ସଂଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କିନ୍ତୁ, ଯେତେବେଳେ କୋଲେଷ୍ଟ୍ରଲ ସ୍ତର ଅସନ୍ତୁଳିତ ହୋଇଯାଏ, ଏହା ହୃଦରୋଗ ସୃଷ୍ଟି କରିପାରେ।
‘ଖରାପ କୋଲେଷ୍ଟ୍ରଲ’ ଭାବରେ ଜଣାଶୁଣା କମ-ଘନତା ଲିପୋପ୍ରୋଟିନ କୋଲେଷ୍ଟ୍ରଲ (LDL-C)ର ବୃଦ୍ଧି ସ୍ତର ହୃଦରୋଗର ଆଶଙ୍କାକୁ ବୃଦ୍ଧି କରେ। ସାରା ବିଶ୍ୱରେ ପ୍ରତିବର୍ଷ ୪.୪ ନିୟୁତ ମୃତ୍ୟୁ (ମୋଟ ମୃତ୍ୟୁର ୭.୮%) ଉଚ୍ଚ କୋଲେଷ୍ଟ୍ରଲ ଯୋଗୁ ହୋଇଥାଏ ଏବଂ ଭାରତରେ, ୩୧% ଲୋକଙ୍କର ହାଇ କୋଲେଷ୍ଟ୍ରଲ ଥିବା ଜଣାପଡ଼ିଛି।
ଖରାପ କୋଲେଷ୍ଟ୍ରଲର ମୁଖ୍ୟ ବିପଦ ହେଉଛି ଏହା ରକ୍ତବାହୀର କାନ୍ଥରେ ଜମା ହୋଇ ପ୍ଲାକ ତିଆରି କରେ। ଏହି ଅବସ୍ଥାକୁ ଏଥେରୋସ୍ଲେରୋସିସ କୁହାଯାଏ। ପ୍ଲାକ ଯୋଗୁଁ ରକ୍ତବାହୀ ନଳୀଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହା ରକ୍ତ ପ୍ରବାହରେ ବାଧା ସୃଷ୍ଟି କରେ।
ଏହା ହୃଦଘାତ, ଷ୍ଟ୍ରୋକ ଏବଂ ଧମନୀ ରୋଗର କାରଣ ହୋଇପାରେ। ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ଯେ ହାଇ କୋଲେଷ୍ଟ୍ରଲ ସ୍ତର କୌଣସି ଲକ୍ଷଣ ଦେଖାଏ ନାହିଁ, ଯାହା କାରଣରୁ ଏହାକୁ ‘ସାଇଲେଣ୍ଟ କିଲର’ କୁହାଯାଏ। ପ୍ରାୟତଃ ଲୋକମାନେ ଏହା ବିଷୟରେ ସେତେବେଳେ ଜାଣିପାରନ୍ତି ଯେତେବେଳେ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଉପୁଜେ।
ଯେକୌଣସି ବୟସରେ ହାଇ କୋଲେଷ୍ଟ୍ରଲର ସମସ୍ୟା ହୋଇପାରେ। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଏହି ସମସ୍ୟା ୫୦ ବର୍ଷ ବୟସ ପରେ ହୁଏ, କିନ୍ତୁ ଏବେ ଏହି ଧାରଣା ବଦଳି ଯାଇଛି। ୧୮ ବର୍ଷ ବୟସରୁ ନିୟମିତ ଲିପିଡ ପ୍ରୋଫାଇଲ ପରୀକ୍ଷା କରାଯିବା ଉଚିତ। ଶୀଘ୍ର ଚିହ୍ନଟ ଏବଂ ସମୟୋଚିତ ହସ୍ତକ୍ଷେପ ଗମ୍ଭୀର ସମସ୍ୟାକୁ ରୋକିପାରିବ।

ସୁସ୍ଥ ଜୀବନଶୈଳୀ ଗ୍ରହଣ କରନ୍ତୁ
ସୁସ୍ଥ ଖାଦ୍ୟ- ସାଚୁରେଟେଡ ଫ୍ୟାଟ ଏବଂ ଟ୍ରାନ୍ସ ଫ୍ୟାଟ ଯୁକ୍ତ ଖାଦ୍ୟ ପରିହାର କରନ୍ତୁ। ଆପଣଙ୍କ ଖାଦ୍ୟରେ ଫଳ, ପନିପରିବା, ଶସ୍ୟ ଏବଂ ଓମେଗା-୩ ଫ୍ୟାଟି ଏସିଡରେ ଭରପୂର ଖାଦ୍ୟ ସାମିଲ କରନ୍ତୁ।
ନିୟମିତ ବ୍ୟାୟାମ – ପ୍ରତିଦିନ ଅତି କମରେ ୩୦ ମିନିଟ ଶାରୀରିକ ବ୍ୟାୟାମ, ଯେପରିକି ଦ୍ରୁତ ଗତିରେ ଚାଲିବା, ଦୌଡ଼ିବା କିମ୍ବା ଯୋଗ, କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିପାରେ।
ଓଜନ ପରିଚାଳନା- ଅତ୍ୟଧିକ ଓଜନ କିମ୍ବା ମେଦବହୁଳତା ଖରାପ କୋଲେଷ୍ଟ୍ରଲର ସ୍ତରକୁ ବୃଦ୍ଧି କରିପାରେ। ସୁସ୍ଥ ଓଜନ ବଜାୟ ରଖିବା ପାଇଁ ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ବ୍ୟାୟାମ କରନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଭଲ।