Categories: ଜାତୀୟ

ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀ ଦେବ କିପରି: ଶିବସେନା

ମୁମ୍ବାଇ,୧୮ା୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳ ଯଦି ମିଳିତ ପ୍ରାର୍ଥୀ ଦେବାରେ ଅସମର୍ଥ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ଦେବ କିପରି ବୋଲି ଲୋକେ ପ୍ରଶ୍ନ କରିବେ। ତେଣୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ବିରୋଧୀ ଦଳଗୁଡ଼ିକ ଗମ୍ଭୀରତାର ସହ ନେବା ଆବଶ୍ୟକ ବୋଲି ଶିବସେନା ଶୁକ୍ରବାର କହିଛି। ଶିବସେନା ମୁଖପତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ କୁହାଯାଇଛି, ରାଷ୍ଟ୍ରପତି ନିର୍ବାଚନ ଲାଗି ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ଏବଂ ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲାଙ୍କ ନାଁ ଚର୍ଚ୍ଚା ହେଉଛି। ତେବେ କଡ଼ା ମୁକାବିଲାର ସମ୍ମୁଖୀନ ହେବା ଲାଗି ସେମାନଙ୍କର ବ୍ୟକ୍ତିତ୍ୱ କିମ୍ବା ଗୁରୁତ୍ୱ ନାହିଁ। ଅନ୍ୟପକ୍ଷରେ ସରକାର ମଧ୍ୟ କୌଣସି ଦକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ନ ପାରନ୍ତି। ଗତଥର ସେମାନେ ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିଲେ, ଏଥର ସେହିଭଳି ବ୍ୟକ୍ତିଙ୍କୁ ଦେଇପାରନ୍ତି।

Share