ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ନନ୍ଦନକାନନ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ଥିବା ପୋଖରୀରୁ ଶୁକ୍ରବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛନ୍ତି ଏହା ଉପରୁ ପରଦା ହଟି ନାହିଁ। ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଚାହିଁ ରହିଛି। ମୃତ ଛାତ୍ରୀ ଜଣକ ହେଲେ ରଘୁନାଥପୁରରେ ରହୁଥିବା ଏକ ଘରୋଇ କଲେଜର ପ୍ରଫେସରଙ୍କ ଝିଅ କାମିନି ପ୍ରିୟଦର୍ଶିନୀ।
ଅନ୍ୟପକ୍ଷେ କାମିନିଙ୍କ ଶରୀରରେ କୌଣସି ପ୍ରକାର କ୍ଷତଚିହ୍ନ ନାହିଁ। ସବୁଠୁ ବଡ ପ୍ରଶ୍ନ ହେଲା ରାତି ଅଧରେ ଫାର୍ମହାଉସର ୧୦ ଫୁଟ ଉଚ୍ଚ ପାଚେରି ଡେଇଁ ସେ ଭିତରକୁ ଗଲେ କିପରି। ସେ ପୋଖରୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ପାଣିରେ ବୁଡେଇ କେହି ହତ୍ୟା କରିଛିି ଏସବୁକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି।
କାମିନିଙ୍କ ବାପା କହିଛନ୍ତି, ଗୁରୁବାର ରାତିରେ ଖାଇବା ପରେ କାମିନି ତାଙ୍କ ରୁମରେ ଯାଇ ଶୋଇଥିଲେ। ହେଲେ ରାତି ୨ଟାରେ ସେ ରୁମରେ ନ ଥିବା ତାଙ୍କ ମା ଜାଣିବାକୁ ପାଇଥିଲେ। ଏନେଇ ପରିବାର ଲୋକ ସଙ୍ଗେସଙ୍ଗେ ଥାନାକୁ ଜଣାଇଥିଲେ। ପୋଲିସ ରାତି ତମାମ ଖୋଜାଖୋଜି କରି କାମିନିଙ୍କ ସନ୍ଧାନ ପାଇ ନ ଥିଲା।