Categories: ଫୁରସତ

ଜୁଳୁଜୁଳିଆ ପୋକର କଥା.. ଶରୀରରୁ କେମିତି ନିସୃତ ହୁଏ ଆଲୋକ

ଜୁଳୁଜୁଳିଆ ପୋକ ବା ଫାୟାର ଫ୍ଲାଏ ଗୋବର ପୋକ ପରି ଏକ ପ୍ରକାରର ପୋକ। ଯାହା ଶରୀରରୁ ଆଲୋକ ବାହାରିଥାଏ। ପ୍ରଥମେ ତ ସମସ୍ତେ ଭାବୁଥିଲେ ଜୁଳୁଜୁଳିଆ ପୋକ ଶରୀରରେ ଫସଫରସ୍‌ ଅଛି। ସେଥିପାଇଁ ଏହା ରାତିରେ ଆଲୋକିତ ହୁଏ। ତେବେ ପରେ ବୈଜ୍ଞାନିକମାନେ ଏହା ଉପରେ ଅନେକ ଗବେଷଣା କରିବା ପରେ ଜାଣିବାକୁ ପାଇଲେ ଯେ, ଫସ୍‌ଫରସ୍‌ ପାଇଁ ନୁହେଁ ବରଂ ତା’ ପେଟର ସ୍ବତନ୍ତ୍ର ଅଙ୍ଗରେ ଥିବା ଲୁସିଫେରିନ ନାମକ ପ୍ରୋଟିନ୍‌ ପାଇଁ ଉକ୍ତ ପୋକର ପେଟରୁ ଆଲୋକ ନିସୃତ ହୋଇ ଚକମକ ଦେଖାଯାଏ। ଏହି ଲୁସିଫେରିନ୍‌, ଅମ୍ଳଜାନ ଏବଂ ଲୁସିଫେରେଜ ନାମକ ଏନ୍‌ଜାଇମ୍‌ ସହ ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା ଘଟି ସେମାନଙ୍କ ପେଟ ଆଲୋକିତ ହୋଇ ଚମକିଥାଏ। ଜୁଳୁଜୁଳିଆ ପୋକର ପେଟ କେବଳ ରାତିରେ ଆଲୋକିତ ହୋଇ ନ ଥାଏ, ବରଂ ଦିନରେ ବି ତା’ର ପେଟରୁ ଆଲୋକ ନିସୃତ ହୁଏ। ଦିନରେ ଅଧିକ ଆଲୋକ ଥିବାରୁ ତା’ର ସ୍ବଳ୍ପ ଆଲୋକ ଜଣାପଡ଼େ ନାହିଁ। ଏହି ଆଲୋକକୁ ବୈଜ୍ଞାନିକମାନେ ‘କୋଲ୍ଡ ଲାଇଟ୍‌’ ବା ‘ଶୀତଳ ଆଲୋକ’ ବୋଲି କୁହନ୍ତି। ପୋକଟିର ଶତପ୍ରତିଶତ ଉର୍ଜା ଏହି ଆଲୋକ ଦ୍ୱାରା ନିସୃତ ହୋଇଥାଏ। ହେଲେ ଏହି ଆଲୋକରୁ ଉତ୍ତାପ ବାହାରି ନ ଥାଏ। ଜୁଳୁଜୁଳିଆ ପୋକମାନେ ଏହି ଲାଇଟ୍‌ର ଫ୍ଲାଶଦ୍ୱାରା ପରସ୍ପର ସହ ଭାବର ଆଦାନ ପ୍ରଦାନ କରନ୍ତି। ଏହାମାଧ୍ୟମରେ ଅନେକ ସମୟରେ ନିଜ ଅଞ୍ଚଳର ସୀମା ଧାର୍ଯ୍ୟ କରନ୍ତି। ତା’ସହ ପରଭକ୍ଷୀଙ୍କୁ ବି ଉକ୍ତ ଆଲୋକଦ୍ୱାରା ଚେତାବନୀ ଦିଅନ୍ତି। ତେବେ ହି ଆଲୋକର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ସାଥୀକୁ ଆକର୍ଷିତ କରିବା।

Share