ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ଲାଗିବ କେତେ ଦିନ…

ନୂଆଦିଲ୍ଲୀ, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଆଶା ମଧ୍ୟ ବଢ଼ିବାରେ ଲାଗିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟୀକାର ଦ୍ୱିତୀୟ ପ୍ରର୍ଯ୍ୟାୟ ଟ୍ରାଏଲ୍‌ ଆରମ୍ଭ ହୋଇସାରିଥିବା ସମ୍ପର୍କରେ ସୂଚନା ଦିଆଯାଇଛି। ଶୀଘ୍ର ଏହି ଟୀକାର ପ୍ରୟୋଗ ଆରମ୍ଭ କରାଯିବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଭାରତର ପୁଣେ ସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ଟୀକାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କମ୍ପାନୀ ପାଖରେ ଏକକୋଟି ଟୀକା ରହିଥିବା ଦାବି କରାଯାଇଛି। ଡିସେମ୍ବର ସୁଦ୍ଧା କମ୍ପାନୀ ଶହେକୋଟି ଟୀକା ପ୍ରସ୍ତୁତ କରିସାରିଥିବା ବୋଲି କହିଛି। ତେବେ ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ସମସ୍ୟା ଦେଖାଦେଇଛି। ଭାରତର ଜନସଂଖ୍ୟା ୧୩୫ କୋଟିରୁ ଅଧିକ। ଯଦି ଗୋଟିଏ ଦିନରେ ୧୦ ଲକ୍ଷ ଲୋକଙ୍କ ଟୀକାକରଣ କରାଯାଏ ତେବେ ସମସ୍ତଙ୍କୁ ଟୀକା ଦେବା ଲାଗି ୧୩୫୦ ଦିନ ଅର୍ଥାତ୍‌ ପ୍ରାୟ ୪ବର୍ଷ ପାଖାପାଖି ସମୟ ଲାଗିବ। କରୋନା ଟୀକାର ଦାମ ଏକ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଭାରତର ସମସ୍ତ ଲୋକଙ୍କ ପାଖରେ ଏଥିପାଇଁ ଟଙ୍କା ମଧ୍ୟ ନାହିଁ। ସେଥି ଲାଗି କେନ୍ଦ୍ର ତଥା ରାଜ୍ୟ ସରକାର ଏନେଇ ଆର୍ଥିକ ସହାୟତା ସମ୍ପର୍କିତ ପଦକ୍ଷେପ ନେବାର ଆବଶ୍ୟକ ଥିବା ନେଇ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।

Share