କେତେଜଣ ବିଜେଡି କର୍ପୋରେଟର ଭାଜପାରେ ମିଶିପାରନ୍ତି: ଅମରେଶ

ଭୁବନେଶ୍ୱର, ୩।୭ (ବନ୍ଦନା ସେଠୀ): ଭୁବନେଶ୍ବର ବିଜେଡିରେ ଫାଟ ନେଇ ଆଶଙ୍କା ବଢ଼ିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କିଛି ବିଜେଡି କର୍ପୋରେଟର ଖୁବ୍‌ଶୀଘ୍ର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ଧରିଛି। ଅପରପକ୍ଷେ ଓ୍ବାର୍ଡ ନଂ. ୪୫ର ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏଭଳି ପରିସ୍ଥିତି ପାଇଁ ଅମରେଶ ସିଧାସଳଖ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି। ଉଭୟ ଅଶୋକ ଓ ଅନନ୍ତ କର୍ପୋରେଟରମାନଙ୍କୁ ଭାଗ ଭାଗ କରୁଛନ୍ତି। ଏପରକି କିଛି କର୍ପୋରେଟରଙ୍କୁ ଘରକୁ ଡାକି ବେଲପତ୍ର ଛୁଆଁଇ ଶପଥ କରୁଥିବା ଅମରେଶ ଅଭିଯୋଗ କରିଛନ୍ତି। ଏଥିପାଇଁ ବିଜେଡିର କର୍ପୋରେଟରମାନେ ଭାଜପାରେ ମିଶିବା ସମ୍ଭାବନା ବଢ଼ିଥିବା ସେ ସନ୍ଦେହ କରିଛନ୍ତି। ବିଜେଡି କ୍ଷମତାରୁ ଯିବା ପରେ ଉଭୟ ନେତା ନିଜର ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନେଉଛନ୍ତି। ସେମାନଙ୍କର ଏଭଳି ଆଚରଣ ଆଗାମୀ ଦିନରେ ଭାଜପାକୁ ସୁହାଇବ ଓ ବିଜେଡି କର୍ପୋରେଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ସହଜ ହେବ ବୋଲି ଅମରେଶ ଅଭିଯୋଗ କରିଛନ୍ତି।
ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଭୁବନେଶ୍ୱର ବିଜେଡି ଦୁଇଫାଳ ହୋଇଯିବ ବୋଲି ଯିଏ କହୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ସବୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍‌। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆମେ ନବୀନ ପଟ୍ଟନାୟକଙ୍କର ପ୍ରଶଂସକ ହୋଇରହିବୁ। ଫାଟ ନେଇ ଯେଉଁ ଅଭିଯୋଗ କରାଯାଉଛି ସେସବୁର କୌଣସି ମାନେ ନାହିଁ। ସେହିପରି ନାମ ଗୋପନ ରଖି ଦୁଇ ଜଣ ବିଜେଡି କର୍ପୋରେଟର କହିଛନ୍ତି, ଆମେ କେବେବି ବିଜେଡି ଛାଡ଼ି ଯିବାକୁ ଚିନ୍ତା କରିନୁ, ବରଂ ଯେଉଁ ଦୁଇଜଣ ଅଭିଯୋଗ କରୁଛନ୍ତି ସେମାନେ ଭାଜପାରେ ସାମିଲ ହୋଇପାରନ୍ତି। ଦେଖିବାକୁ ଗଲେ ଗୋଟେ ଦଳରୁ ନିର୍ବାଚନ ଜିତି ଅନ୍ୟଦଳକୁ ଏଭଳି ହଠାତ୍‌ ଯାଇ ହୁଏନାହିଁ। ଏଥିପାଇଁ ବହୁତ ଆଇନ୍‌କାନୁନ୍‌ ରହିଛି। ଯଦି ଏକ ତୃତୀୟାଂଶ କର୍ପୋରେଟର ଦଳବଦଳ କରିବାକୁ ଚାହିଁବେ, ତାହା ହେଲେ ହୁଏତ ଏହା ସମ୍ଭବ ହୋଇପାରେ। ମାତ୍ର ସେଭଳି କିଛି ହେବାର ଦେଖାଯାଉ ନାହିଁ।