
ଓ୍ବାଶିଂଟନ,୪।୨: କୌଣସି ବୈଧ କାଗଜପତ୍ର ବିନା ଆମେରିକାରେ ପ୍ରବେଶ କରୁଥିବା ଭାରତୀୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଏକ ସାମରିକ ବିମାନ ମାଧ୍ୟମରେ ୨୦୫ ଜଣ ଅବୈଧ ପ୍ରବାସୀଙ୍କୁ ଭାରତ ପଠାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାର କରିବା ପାଇଁ ସେନାର ସାହାଯ୍ୟ ନେଇଛନ୍ତି।
ରିପୋର୍ଟ ଅନୁସାରେ, ଅଧିକାରୀ ଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ C-17 ବିମାନ ପ୍ରବାସୀମାନଙ୍କୁ ନେଇ ଭାରତ ଯାତ୍ରା କରିଛି। ସୂଚନା ଅନୁଯାୟୀ, ଆମେରିକାରେ ୧୮୦୦୦ରୁ ଅଧିକ ଭାରତୀୟ ବେଆଇନ ଭାବରେ ରହୁଛନ୍ତି। ଏପରି ଭାରତୀୟଙ୍କ ଭିସା ମିଆଦ ଶେଷ ହୋଇଯାଇଛି କିମ୍ବା ସେମାନେ ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଛନ୍ତି।
ପେଣ୍ଟାଗନ କହିଛି ଯେ ଟେକ୍ସାସର ଏଲ ପାସୋ ଏବଂ କାଲିଫର୍ନିଆର ସାନ ଡିଏଗୋରୁ ୫,୦୦୦ ରୁ ଅଧିକ ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ, ପ୍ରବାସୀମାନଙ୍କୁ ସାମରିକ ବିମାନ ମାଧ୍ୟମରେ ଗୁଆଟେମାଲା, ପେରୁ ଏବଂ ହଣ୍ଡୁରାସ ପଠାଯାଇଛି।
ଟ୍ରମ୍ପ ଗତ ମାସରେ ସାମ୍ବାଦିକମାନଙ୍କୁ କହିଥିଲେ, ‘ଇତିହାସରେ ପ୍ରଥମ ଥର ପାଇଁ, ଆମେ ଅବୈଧ ବିଦେଶୀଙ୍କୁ ଠାବ କରୁଛୁ ଏବଂ ସେମାନଙ୍କୁ ସାମରିକ ବିମାନରେ ସେମାନଙ୍କ ଦେଶକୁ ଫେରାଇ ଦେଉଛୁ। ସମ୍ପ୍ରତି, ଭାରତ ଅବୈଧ ପ୍ରବାସୀ ପ୍ରସଙ୍ଗରେ ଆମେରିକୀୟ ପ୍ରଶାସନକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଭାରତ ଏହି ମାମଲାରେ ଆମେରିକାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ।
କିଛି ଦିନ ପୂର୍ବରୁ, ୫୩୮ ଜଣ ଅବୈଧ ପ୍ରବାସୀଙ୍କୁ ଗିରଫ କରାଯାଇଥିଲା ଏବଂ ଶହ ଶହ ଲୋକଙ୍କୁ ସାମରିକ ବିମାନ ବ୍ୟବହାର କରି ଦେଶାନ୍ତର କରାଯାଇଥିଲା। ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ କହିଛନ୍ତି ଯେ ‘ଟ୍ରମ୍ପ ପ୍ରଶାସନ ୫୩୮ ଜଣ ଅବୈଧ ପ୍ରବାସୀ ଅପରାଧୀଙ୍କୁ ଗିରଫ କରିଛି, ଯେଉଁଥିରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ, ଟ୍ରେନ ଡି ଆରାଗୁଆ ଗ୍ୟାଙ୍ଗର ଚାରି ଜଣ ସଦସ୍ୟ ଏବଂ ନାବାଳକଙ୍କ ବିରୁଦ୍ଧରେ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ଅନେକ ଅବୈଧ ପ୍ରବାସୀ ସାମିଲ ଅଛନ୍ତି।