Categories: ଜାତୀୟ

ରାଜନୀତିରେ କେତେ ପକ୍କା ଖେଳାଳି ଚମ୍ପାଇ? ଶିବୁଙ୍କ ଦୁଲାରା, ହେମନ୍ତଙ୍କ ଖାସ୍‌

ରାଞ୍ଚି,୨୭।୮: ଝାଡ଼ଖଣ୍ଡ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବର୍ତ୍ତମାନ ଜେଏମଏମ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି। ପ୍ରାୟ ପାଞ୍ଚ ଦଶନ୍ଧି ଧରି ଜେଏମଏମ ସୁପ୍ରିମୋ ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କ ନିକଟତର ଥିବା ଚମ୍ପାଇ ସୋରେନ ବର୍ତ୍ତମାନ ଭାଜପାକୁ ଆଗେଇ ନେବା ପାଇଁ କାର୍ଯ୍ୟ କରିବେ। ଚମ୍ପାଇ ସୋରେନ ୩୦ଅଗଷ୍ଟରେ ଭାଜପାରେ ଯୋଗଦେବେ ବୋଲି ଜଣାପଡିଛି। ଜେଏମଏମର ପ୍ରତିଷ୍ଠା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଚମ୍ପାଇ ସୋରେନ ଦଶମ ଶ୍ରେଣୀରେ ପାଠ ପଢିବା ସମୟରୁ ଶିବୁ ସୋରେନଙ୍କଠାରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନରେ ଯୋଡି ହୋଇ ଯାଇଥିଲେ, ସେବେଠାରୁ ତାଙ୍କର ଶିବୁ ସୋରେନ ଓ ଜେଏମଏମ ସହ ଗଭିର ସମ୍ପର୍କ ରହିଛି। ଚମ୍ପାଇ ସୋରେନ ଅନେକ ଥର ଖୋଲା ମଞ୍ଚରେ ଶିବୁ ସୋରେନଙ୍କ ପ୍ରତି ନିଜର ସମ୍ମାନ ଜାହିର କରିଛନ୍ତି। ସୂଚନାଯୋଗ୍ୟ, ଶିବୁ ସୋରେନ ବି ଚମ୍ପାଇ ସୋରେନଙ୍କୁ ସମ୍ମାନ କରନ୍ତି। ହେଲେ ରାଜନୀତି ଏମିତି ଜିନିଷ ଯେଉଁଠାରେ ରାଜନୈତିକ ଲାଭ ଏବଂ କ୍ଷତିକୁ ବିଚାରକୁ ନେଇ ସମୀକରଣ ପ୍ରାୟତଃ ବଦଳିଥାଏ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିହାରରୁ ଏକ ଅଲଗା ଝଡ଼ଖଣ୍ଡ ରାଜ୍ୟ ପାଇଁ ଏହି ଆନ୍ଦୋଳନ ସହିତ ଜଡିତ ଜଣେ ନେତା। ୯୦ଦଶକରେ ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନରେ ଚମ୍ପାଇ ସୋରେନ କୋଲହାନ ଟାଇଗର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରେ ସେ କୋଲହାନ ଅଞ୍ଚଳରେ ନିର୍ମଲ ମହତୋ, ଶୈଲେନ୍ଦ୍ର ମହତୋ ଏବଂ ବାଗୁନ ସୁମ୍ବରୁଇଙ୍କ ପରି ସକ୍ରିୟ ଆନ୍ଦୋଳନକାରୀ ନେତାଙ୍କ ମଧ୍ୟରେ ନିଜର ପରିଚୟ ସ୍ଥାପନ କରିଥିଲେ। ଚମ୍ପାଇ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଜେଏମଏମ ସୁପ୍ରିମୋ ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କ ନିକଟତର ହୋଇଥିଲେ। ଚମ୍ପାଇ ସୋରେନ ଜେଏମଏମ ର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୯୧ରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ଉପ-ନିର୍ବାଚନରେ ସଢେଇକଳାରୁ ଜଣେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଚମ୍ପାଇ ସୋରେନ ୧୯୯୧ରୁ କ୍ରମାଗତ ଭାବରେ ୭ଥର ସଢେଇକଳା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ୨୦୦୦ର ବିଧାନସଭା ନିର୍ବାଚନ ବ୍ୟତୀତ ସେ ସମସ୍ତ ନିର୍ବାଚନରେ ଜିତିଥିଲେ । ୨୦୦୦ନିର୍ବାଚନରେ ସେ ଭାଜପାର ଅନନ୍ତ ରାମ ଟୁଡୁଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ୨୦୧୦ରେ ଭାଜପା-ଜେଏମଏମ ମିଳିତ ମଞ୍ଚର ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପାଇ ସୋରେନ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ଚମ୍ପାଇ ସୋରେନଙ୍କୁ ୨୦୧୩ରେ ଜେଏମଏମ-କଂଗ୍ରେସ ମିଳିତ ମଞ୍ଚର ହେମନ୍ତ ସୋରେନ ସରକାରରେ ଶିଳ୍ପ, ପରିବହନ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ କରାଯାଇଥିଲା। ଯେତେବେଳେ କି ୨୦୧୯ରେ, ଚମ୍ପାଇ ସୋରେନଙ୍କୁ ୨୮ଜାନୁୟାରୀ ୨୦୨୦ରେ ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ମଞ୍ଚର ହେମନ୍ତ ସୋରେନ ସରକାରରେ ମନ୍ତ୍ରୀ କରାଯାଇଥିଲା।

Share