Categories: ଜାତୀୟ

ତାଜମହଲ ବନ୍ଦ କୋଠରୀରେ କେତେ ମୂର୍ତ୍ତି ରହିଛି ? ଉତ୍ତର ଦେଲା ଏଏସଆଇ…

ଆଗ୍ରା, ୪।୭ : ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଆଗ୍ରାର ବିଶ୍ୱ ପ୍ରସିଦ୍ଧ ତାଜମହଲର ଏକ ପ୍ରାଚୀନ ମନ୍ଦିର ଏବଂ ଏହାର ବନ୍ଦ କୋଠରୀରେ ରହିଥିବା ମୂର୍ତ୍ତି ଦାବିକୁ ପୁଣି ଥରେ ଖାରଜ କରିଦେଇଛି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେ ଏ ସମ୍ପର୍କରେ ଆରଟିଆଇରେ ଆବେଦନ କରିଥିଲେ।

ଏନେଇ ଏଏସଆଇ ଆଗ୍ରା ପକ୍ଷରୁ ଉତ୍ତର ପ୍ରଦାନ କରାଯାଇଛି। ଏଏସଆଇ ସ୍ପଷ୍ଟ କରିଛି ଯେ ତାଜମହଲରେ କୌଣସି ବନ୍ଦ କୋଠରୀ ନାହିଁ ଏବଂ କୌଣସି କୋଠରୀରେ ହିନ୍ଦୁ ଦେବୀଦେବତାମାନଙ୍କର ମୂର୍ତ୍ତି ରଖାଯାଇ ନାହିଁ।

ସାକେତ ଗୋଖଲେ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି ଯେ ତାଜମହଲ ଯେଉଁଠାରେ ଅଛି ସେଠାରେ କୌଣସି ମନ୍ଦିର ନାହିଁ। ସେହିପରି ତାଜମହଲରେ କୌଣସି ମୂର୍ତ୍ତି ଥିବା ବନ୍ଦ କୋଠରୀ ମଧ୍ୟ ନାହିଁ ।

ସୂଚନାଯୋଗ୍ୟ, ତାଜମହଲକୁ ନେଇ ଅନେକ ଦାବି ସାମ୍ନାକୁ ଆସିଛି। କେହି କେହି ଏହାକୁ ଏକ ପ୍ରାଚୀନ ଶିବ ମନ୍ଦିର ବୋଲି ଦାବି କରିଥିଲେ। କେହି କେହି ଏହାକୁ ଜୟପୁର ରାଜ ପରିବାରର ପ୍ରାଚୀନ ପ୍ରାସାଦ ବୋଲି କହିଥିଲେ। ସେହିପରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହାର ୨୨ ଟି ବନ୍ଦ କୋଠରୀ ଖୋଲିବା ପାଇଁ ଏକ ପିଟିଣନ ମଧ୍ୟ ଦାଖଲ କରାଯାଇଥିଲା। ଯାହାକୁ କୋର୍ଟ କଡ଼ା ତାଗିଦ କରି ଖାରଜ କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଅଯୋଧ୍ୟା ନିବାସୀ ରଜନୀଶ ସିଂ ତାଜମହଲର ଇତିହାସ ଜାଣିବା ପାଇଁ ଏକ କମିଟି ଗଠନ କରିବା ଏବଂ ଏହି ଐତିହାସିକ ଭବନରେ ଥିବା ୨୨ ବନ୍ଦ କୋଠରୀ ଖୋଲିବାକୁ ନିର୍ଦ୍ଦେଶ ଦେବା ନେଇ କୋର୍ଟଙକ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ଆବେଦନରେ ୧୯୫୧ ଏବଂ ୧୯୫୮ ରେ ପ୍ରଣିତ ହୋଇଥିବା ଆଇନକୁ ସମ୍ବିଧାନ ବିରୁଦ୍ଧ ଘୋଷଣା କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏହି ନିୟମ ଅନୁଯାୟୀ ତାଜମହଲ, ଫତେହପୁର ସିକ୍ରି ଦୁର୍ଗ ଏବଂ ଆଗ୍ରାର ଲାଲ୍‌ କିଲ୍ଲା ଆଦିକୁ ଐତିହାସିକ ଅଟ୍ଟାଳିକା ଭାବରେ ଘୋଷିତ ହୋଇଥିଲା। ବହୁ ଦକ୍ଷିଣପନ୍ଥୀ ସଂଗଠନ ଅତୀତରେ ଦାବି କରିଛନ୍ତି ଯେ ମୋଗଲ ସମୟର ଏହି ସମାଧି ଭଗବାନ ଶିବଙ୍କ ମନ୍ଦିର ଥିଲା। ଏହି ସ୍ମାରକୀ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ସଂରକ୍ଷଣ କରାଯାଇଛି।

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଜଷ୍ଟିସ ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକ ବେଞ୍ଚ ଏହି ଆବେଦନ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଅନିୟମିତତା ଭାବେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ଭାରତର ସମ୍ବିଧାନର ଧାରା ୨୨୬ ଅନୁଯାୟୀ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।

Share