ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍‌, ନଚେତ୍‌…

ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଭଳି ଅନୁଷ୍ଠାନ କହୁଛନ୍ତି ଯେ, କରୋନା ମହାମାରୀକୁ ରୋକିବା ପାଇଁ ଦିନକୁ ପାଞ୍ଚ କିମ୍ବା ଏହାଠାରୁ ଅଧିକ ଥର ହାତ ଧୋଇବା ଆବଶ୍ୟକ। କିନ୍ତୁ ସମଗ୍ର ବିଶ୍ୱରେ ଲୋକମାନେ ଏହି ନିୟମ ଅନୁସରଣ କରୁଛନ୍ତି କି? ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ରିପୋର୍ଟରେ କରୋନା ସହ ଜଡ଼ିତ ଅନେକ ସମାନ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଚେଷ୍ଟା କରାଯାଇଛି। ଜାଣନ୍ତୁ ଏ ସମ୍ପର୍କରେ…

୧୧୮ଟି ଦେଶରେ ସର୍ଭେ କରାଯାଇଥିବା ୫୮ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ଦିନକୁ ୫ ଥର ସାବୁନ ଏବଂ ପାଣିରେ ହାତ ଧୋଇଥାନ୍ତି କିମ୍ବା ସାନିଟାଇଜର ବ୍ୟବହାର କରନ୍ତି। ଏଥିସହିତ ୨ ପ୍ରତିଶତ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ସେମାନେ ଦିନରେ ଥରେ ମଧ୍ୟ ହାତ ଧୋଇ ନାହାନ୍ତି। ଏହାର ଅର୍ଥ ହେଉଛି ବିଶ୍ୱର ୮.୬ କୋଟି ଲୋକ ହାତ ଧୋଇ ନାହାନ୍ତି।

ବିଶ୍ୱର ସର୍ବନିମ୍ନ ୨୧ ପ୍ରତିଶତ ମାଳି ପାଞ୍ଚ କିମ୍ବା ଅଧିକ ଥର ହାତ ଧୋଇଥାନ୍ତି। ଏଥି ସହିତ ୧୦ ପ୍ରତିଶତ ୪ ଥର, ୨୨ ପ୍ରତିଶତ ୩ ଥର, ୧୭ ପ୍ରତିଶତ ୨ ଥର ଏବଂ ୯ ପ୍ରତିଶତ ଲୋକ ଦିନକୁ ଥରେ କେବଳ ହାତ ଧୋଇଥାନ୍ତି। ଏଥି ସହିତ ୧୮ ପ୍ରତିଶତ ଲୋକ ହାତ ଧୋଇ ନାହାନ୍ତି। ସ୍ବଚ୍ଛତା ତାଲିକା ତଳେ ସେନେଗାଲ, ବେନିନ, ନାଇଜେରିଆ, ଗୁଇନିଆ, ଭାରତ, ଥାଇଲ୍ୟାଣ୍ଡ, ଗାବନ, ଭିଏତନାମା ଏବଂ କାମ୍ବୋଡିଆ ରହିଛନ୍ତି।

– ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ହାତ ଧୋଇଛନ୍ତି। ୬୪ ପ୍ରତିଶତ ମହିଳା ଏବଂ ୫୨ ପ୍ରତିଶତ ପୁରୁଷ ଦିନକୁ ପାଞ୍ଚ କିମ୍ବା ଅଧିକ ଥର ହାତ ଧୋଇଥାନ୍ତି।

– ପ୍ରାଥମିକ ଶିକ୍ଷା ଅଧ୍ୟୟନ କରିଥିବା ୪୮ ପ୍ରତିଶତ ଏବଂ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପଢ଼ିଥିବା ୭୩ ପ୍ରତିଶତ ଲୋକ ଅଧିକ ସ୍ବଚ୍ଛତା ଅନୁସରଣ କରିଛନ୍ତି।

– ସହରରେ ଲୋକେ ଅଧିକ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଛନ୍ତି। ୬୩ ପ୍ରତିଶତ ସହରାଞ୍ଚଳ ଏବଂ ୫୪ ପ୍ରତିଶତ ଗ୍ରାମୀଣ ଲୋକ ସ୍ବଚ୍ଛତା ନିୟମ ପାଳନ କରୁଛନ୍ତି ବୋଲି ସର୍ଭେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି।

Share