Categories: ଜାତୀୟ

ନିର୍ବାଚନ ପୂର୍ବରୁ କେତେଜଣ ଗିରଫ ହେବେ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୯ା୪(ପି.ଟି.):ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଆଣୁଥିବା ପ୍ରତ୍ୟେକଙ୍କୁ ଜେଲ ପଠାଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ଏଥିସହ ୨୦୨୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିତ୍ବା ୟୁଟ୍ୟୁବର ଏ. ଦୁରାଇମୁରୁଗାନ ସତ୍ତାଇଙ୍କ ଜାମିନକୁ କାଏମ ରଖିଛନ୍ତି। ନିର୍ବାଚନ ପୂର୍ବରୁ ୟୁଟ୍ୟୁବରେ ଅଭିଯୋଗ ଆଣୁଥିବା ପ୍ରତ୍ୟେକଙ୍କୁ ଯଦି ଆମେ ଜେଲ ପଠାଇବା ଆରମ୍ଭ କରିବୁ, ତେବେ କେତେଜଣ ଜେଲ ଯିବେ, କଳ୍ପନା କର ବୋଲି ଜଷ୍ଟିସ୍‌ ଅଭୟ ଏସ୍‌ ଓକା ଏବଂ ଉଜ୍ଜଲ ଭୂୟଁାଙ୍କ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କୁ ପ୍ରଶ୍ନ କରିଥିଲେ। ଏଥିସହିତ ସତ୍ତାଇଙ୍କ ଜାମିନ ଖାରଜ ଲାଗି ହୋଇଥିବା ଆବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଥିଲେ। ଅଭିଯୁକ୍ତ ପ୍ରତିବାଦ ଜଣାଇ ଏବଂ ନିଜ ମତାମତ ବ୍ୟକ୍ତ କରି ନିଜ ସ୍ବାଧୀନତାର ଦୁରୁପଯୋଗ କରିନାହାନ୍ତି। ସତ୍ତାଇଙ୍କୁ ଲଜ୍ଜାଜନକ ମନ୍ତବ୍ୟ ପ୍ରଦାନରୁ ଦୂରେଇ ରଖିବା ପାଇଁ ଜାମିନରେ ସର୍ତ୍ତ ରଖିବା ଲାଗି ତାମିଲନାଡୁ ସରକାରଙ୍କ ଆବେଦନକୁ ମଧ୍ୟ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ସତ୍ତାଇ କୋର୍ଟକୁ ଦେଇଥିବା ଲିଖିତ ପ୍ରତିଶ୍ରୁତିର ଉଲ୍ଲଂଘନ କରି ଷ୍ଟାଲିନ୍‌ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ମାଡ୍ରାସ ହାଇକୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିବାବେଳେ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share