Categories: ଜାତୀୟ

କେତେ ମହିଳାଙ୍କୁ ଦେଇଛ ଟିକଟ: ମହିଳା ସଂରକ୍ଷଣ ବିଲକୁ ବିରୋଧ କରିବା ନେଇ ତେଜସ୍ବୀଙ୍କୁ ପିକେଙ୍କ ପ୍ରଶ୍ନ…

ପାଟନା,୨୬।୯ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ଆଣିଥିବା ମହିଳା ସଂରକ୍ଷଣକୁ ବିରୋଧ କରିବା ସହିତ ଏଥିରେ ଓବିସିଙ୍କ ସଂରକ୍ଷଣ ପାଇଁ ଦେଶରେ ଆନ୍ଦୋଳନ ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପ୍ରସଙ୍ଗରେ ଏକ ଆନ୍ଦୋଳନ ହେବା ଉଚିତ କି ନୁହେଁ? ଜନ ସୁରଜ ଯାତ୍ରାର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ) ଏହି ପ୍ରଶ୍ନ ଉପରେ ତାଙ୍କର ମତ ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ପ୍ରଶାନ୍ତ କିଶୋର କହିଛନ୍ତି ଯେଉଁମାନେ ବିରୋଧ କରିବାକୁ ଚାହୁଁଛନ୍ତି, ସେମାନେ ତାହା କରନ୍ତୁ। ମୁଁ ଭାବୁଛି ମହିଳାଙ୍କ ସଂରକ୍ଷଣ ପାଇଁ ଯାହା କାର୍ଯ୍ୟକାରୀ ହୋଇଛି ତାହା ଠିକ, ଏଥିରେ କୌଣସି ଅସୁବିଧା ନାହିଁ। ଏହାକୁ ବିରୋଧ କରୁଥିବା ବ୍ୟକ୍ତିମାନେ ମୂର୍ଖ। ସେମାନେ ମହିଳାଙ୍କ ସଂରକ୍ଷଣ କିମ୍ବା ମହିଳାଙ୍କ ସ୍ଥିତିକୁ ନେଇ ଚିନ୍ତିତ ନୁହନ୍ତି।

ତାଙ୍କର ଉଦ୍ଦେଶ୍ୟ ହେଉଛି ଏହାକୁ ନେଇ ରାଜନୀତି ଜାରି ରହିବା ଉଚିତ ଏବଂ ସେମାନେ ଏଥିରୁ ନିଜର ଫାଇଦା ନେବାକୁ ଚାହିଁ ବସିଛନ୍ତି। ଯେଉଁମାନେ ଆଜି କହୁଛନ୍ତି ମହିଳା ସଂରକ୍ଷଣରେ ଓବିସି ପାଇଁ ପୃଥକ ସଂରକ୍ଷଣ ରହିବା ଉଚିତ। ତାହା ଠିକ ଅଛି, ତେବେ ପ୍ରଥମେ ସଂରକ୍ଷଣ ହେଉ ଏହାପରେ ଓବିସିଙ୍କ ପାଇଁ ପୃଥକ ସଂରକ୍ଷଣ ମଧ୍ୟ ଲାଗୁ କରି ଦିଅନ୍ତୁ।

ରାଜ୍ୟରେ ଆରଜେଡ଼ି-ଜେଡିୟୁକୁ ପଚାରନ୍ତୁ ସେମାନେ ନିଜ ନିଜ ପାର୍ଟିରେ କେତେ ଓବିସି ମହିଳାଙ୍କୁ ଟିକେଟ ଦେଇଛନ୍ତି। ମୁସଲିମ ସମ୍ପ୍ରଦାୟର ଲୋକମାନେ ଭାଜପାର ଭୟ ଯୋଗୁଁ ଲଣ୍ଠନକୁ ଭୋଟ ଦେଉଛନ୍ତି।

ବିହାରରେ କେବଳ ଜାତି ଆଧାରରେ ଭୋଟ ଦିଆଯାଏ, ଫଳରେ ରାଜ୍ୟରେ ଭାଜପା କିପରି ଭୋଟ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିର କେହି ବିହାରରେ ରୁହନ୍ତି ନାହିଁ। ତେଣୁ ରାଜ୍ୟରେ ମୋଦି ଜିତିବେ କିପରି।

ବିହାରରେ ଲୋକମାନେ ଚାରୋଟି କାରଣ ପାଇଁ ଭୋଟ ଦିଅନ୍ତି, ପ୍ରଥମଟି ଜାତି, ଦ୍ୱିତୀୟଟି ଧର୍ମ, ତୃତୀୟଟି ହେଉଛି ଲାଲୁଙ୍କ ଭୟ କାରଣରୁ, ଲୋକମାନେ ଭାଜପାକୁ ଭୋଟ ଦିଅନ୍ତି ଏବଂ ଚତୁର୍ଥଟି ହେଉଛି ମୁସଲମାନ ସମ୍ପ୍ରଦାୟଙ୍କର ଭୋଟ।

Share