ପୁରୁଷଟିଏ ବି କାନ୍ଦେ, ହେଲେ ଲୁଚିକରି; ଭିନ୍ନ ପ୍ରକାରର ହୋଇଥାଏ ଡିପ୍ରେସନ

ପୁରୁଷକୁ କଷ୍ଟ ହୁଏନା, ପୁରୁଷଟିଏ କେବେ କାନ୍ଦେ ନାହିଁ। ପୁଅପିଲା ପରା, ଝିଅଙ୍କ ଭଳି କ’ଣ କାନ୍ଦୁଛୁ। ଏସବୁ ହେଉଛି କିଛି ଏଭଳି ଡାଏଲଗ୍‌ ଯାହା ଶକ୍ତ ପୁରୁଷର ସାର୍ଟିଫିକେଟ୍‌ ପ୍ରଦାନ କରେ। ହେଲେ ଆମେ ଭୁଲିଯାଉ ଯେ ପୁରୁଷ ବି ଜଣେ ସାମାଜିକ ପ୍ରାଣୀ। କଷ୍ଟ ବେଳେ ତାକୁ କାନ୍ଦ ଲାଗିପାରେ। ଡିପ୍ରେସନ(ଉଦାସୀନତା) ହେଉ ଅବା ଦୁଃଖ, ସେ ଅନୁଭବ କରିପାରେ। ହେଲେ ମହିଳାଙ୍କଠାରୁ ପୁରୁଷ କ୍ଷେତ୍ରରେ ଦେଖାଯାଉଥିବା ଲକ୍ଷଣ ଭିନ୍ନ।

ପୁରୁଷମାନଙ୍କ ମଧ୍ୟରେ ଡିପ୍ରେସନର ଲକ୍ଷଣ କିପରି?
ପୁରୁଷଙ୍କ ମଧ୍ୟରେ ଡିପ୍ରେସନର ଲକ୍ଷଣ ଭିନ୍ନ ଥାଏ। କିଛି ପୁରୁଷଙ୍କଠାରେ ନିମ୍ନରେ ଦେବାକୁ ଯାଉଥିବା ଲକ୍ଷଣରୁ ଅଳ୍ପ ଦେଖିବାକୁ ମିଳୁଥିବା ବେଳେ ଅନେକଙ୍କ କ୍ଷେତ୍ରରେ ତାହା ଅଧିକ ଥାଏ। ଯେପରିକି:
-ରାଗ, ଚିଡ୍‌ଚିଡ୍‌ ହେବା
-ଚିନ୍ତାରେ ରହିବା, ଅସ୍ତବ୍ୟସ୍ତ ଲାଗିବା, ନିଜକୁ ସମସ୍ତଙ୍କଠାରୁ ଅଲଗା ଭାବିବା
-କାମ, ପରିବାର ଅଥବା ପ୍ରଥମେ ଖୁସି ଦେଉଥିବା ଜିନିଷରୁ ବିମୁଖତା
-ଯୌନ ଇଚ୍ଛା ଏବଂ ପ୍ରେମ ଦେଖାଇବାରେ ଅସୁବିଧା ହେବା
-ନିଜକୁ ଏକାକି, ଦୁଃଖି ଏବଂ ନିରାଶ ଅନୁଭବ କରିବା
-ଜରୁରି କାମରେ ଧ୍ୟାନ କେନ୍ଦ୍ରିତ କରିବା ଅଥବା ମନେ ରଖିବାରେ ଅସୁବିଧା ଉପୁଜିବା
-ଅତ୍ୟଧିକ ଥକ୍କାପଣ ଅନୁଭବ ହେବା, ନିଦ ନ ହେବା, ଗାଢ଼ ନିଦ ଅଧିକ ସମୟ ଶୋଇଯିବା
-ଆବଶ୍ୟକତାଠାରୁ ଅଧିକ ଖାଇବା, ଖାଇବାର ବିଲ୍‌କୁଲ୍‌ ଇଚ୍ଛା ନ ହେବା
-ଆତ୍ମହତ୍ୟାର ବିଚାର ମନରେ ଆସିବା, ଏଥିଲାଗି ଚେଷ୍ଟା କରିବା
-ଶାରୀରିକ ପୀଡ଼ା, ମୁଣ୍ଡ ବିନ୍ଧା, ହଜମ ନ ହେବା।
-କାମ, ପରିବାରର ଯତ୍ନ, ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପୂରଣ କରିବାରେ ଅସମର୍ଥତା
-ମଦ ନଚେତ ଡ୍ରଗ୍ସର ଆବଶ୍ୟକତା ଅନୁଭବ କରିବା
-ପରିବାର-ବନ୍ଧୁଙ୍କଠାରୁ ଦୂରେଇ ଯିବା

ଡିପ୍ରେସନର କାରଣ:

-ଜେନେଟିକ୍‌ ଫ୍ୟାକ୍ଟର୍ସ: ପରିବାରରେ ଅବସାଦର ଇତିହାସ ଥିବା ପୁରୁଷମାନଙ୍କ କ୍ଷେତ୍ରରେ ଏହି ରୋଗର ସମ୍ଭାବନା ଅଧିକ।
-ପାରିପାଶ୍ୱିକ ଚାପ: ଆର୍ଥିକ ସମସ୍ୟା, ପ୍ରିୟଜନଙ୍କୁ ହରାଇବା, ଜଟିଳ ସମ୍ପର୍କ, ଜୀବନରେ ହଠାତ ବଡ ପରିବର୍ତ୍ତନ ଆସିବା, କର୍ମକ୍ଷେତ୍ରେ ସମସ୍ୟା ଅଥବା ଅନେକ ସମୟରେ ଚାପଗ୍ରସ୍ତ ପରିସ୍ଥିତି କିଛି ପୁରୁଷଙ୍କଠାରେ ଡିପ୍ରେସନର କାରଣ ପାଲଟିଥାଏ।
-ଦୀର୍ଘଦିନର ରୋଗ: ମଧୁମେହ, କର୍କଟ, ହୃଦରୋମ କିମ୍ବା ପାର୍କିନ୍ସନ୍‌ ରୋଗରେ ଆକ୍ରାନ୍ତ ପୁରୁଷମାନେ ମଧ୍ୟ ଡିପ୍ରେସନକୁ ଚାଲି ଯାଇଥାନ୍ତି। ରୋଗର ସ୍ଥିତିକୁ ଡିପ୍ରେସନ ଅଧିକ ଖରାପ କରିଥାଏ। ବେଳେବେଳେ ଏହି ରୋଗ ପାଇଁ ଖାଉଥିବା ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିପାରେ, ଯାହାକି ଡିପ୍ରେସନକୁ ଅଧିକ ବଢ଼ାଇପାରେ।

କ’ଣ କରିବେ:-
ଜଣେ ବ୍ୟକ୍ତି ନିରାଶ ହୋଇପଡ଼ିବା ପ୍ରଥମେ ପରିବାର ଏବଂ ବନ୍ଧୁମାନେ ଜାଣିପାରନ୍ତି। ଏଭଳି ସ୍ଥିତିରେ ନିଜର ପ୍ରିୟଜନଙ୍କ ସହ କଠିନ ସମୟରେ ରହିବା ଏବଂ ଡାକ୍ତର ତଥା ମାନସିକ ବିଶେଷଜ୍ଞଙ୍କୁ ଭେଟିବା ଲାଗି ପରାମର୍ଶ ଦେବା ଜରୁରୀ। ଏନେଇ ଜଣାପଡ଼ିବା ପରେ ସାଧାରଣତଃ ଔଷଧ ଏବଂ ମନୋଚିକିତ୍ସା ପ୍ରଣାଳୀ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ।