ନୋଏଡା, ୨୬।୨ : ଦିଲ୍ଲୀ ଏନସିଆର୍ର ନୋଏଡାର ସେକ୍ଟର ୯୩-ଏ’ଠାରେ ଥିବା ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସ ପାଇଁ ବିଚାର ବିମର୍ଷ ଜାରି ରହିଛି। ଏଥିପାଇଁ କେତେ ପରିମାଣର ବିସ୍ଫୋରକ ଲାଗିବ ତାହାର ହିସାବ ଲାଗି ଦକ୍ଷିଣ ଆଫ୍ରିକାରୁ ସ୍ବତନ୍ତ୍ର ଇଞ୍ଜିନିୟର ଟିମ୍ ନୋଏଡାରେ ପହଞ୍ଚିଛନ୍ତି। ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସ କରିବା ଠିକା ଭାରତୀୟ କମ୍ପାନୀ ଏଡ଼ିଫିଶ୍କୁ ମିଳିଛି। ଏହି କମ୍ପାନୀର ଦକ୍ଷିଣ ଆଫ୍ରିକାରେ ଏକ ସହଯୋଗୀ କମ୍ପାନୀ ରହିଛି। ୩୦୦ ଶ୍ରମିକଙ୍କୁ ଟାଓ୍ବାର ଧ୍ୱଂସ କାର୍ଯ୍ୟରେ ନିୟୋଜିତ କରାଯିବ।
ଏଥିପାଇଁ ମେ’୨୨କୁ ଦିନ ଧାର୍ଯ୍ୟ କରାଯାଇଛି। ୨୦୨୨ ଅଗଷ୍ଟ ୨୨ ସୁଦ୍ଧା ସୁପର୍ଟେକ୍ ଟୁଇନ୍ ଟାଓ୍ବାର ଧ୍ୱଂସର ଅଂଶବିଶେଷ ହଟାଯିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି।
ଏହା ଆଖପାଖରେ ଥିବା ୧୫ଟି ଟାଓ୍ବାରର ଅଡ଼ିଟ୍ ମଧ୍ୟ କରାଯାଇଛି। ଯୋଜନା ଅନୁସାରେ ୧୦ ସେକେଣ୍ଡରେ ସୁପର୍ଟେକ୍ ଟୁଇନ୍ ଟାଓ୍ବାରକୁ ଧ୍ୱଂସ କରାଯିବ। ୬୦ ଫୁଟ ପରିମିତ ସଡ଼କରେ ଏହାର ଭଙ୍ଗାରୁଜା ଅଂଶବିଶେଷ ବିଛାଡ଼ି ପଡ଼ିବ। ଏହାଦ୍ୱାରା ୧୦୦ ମିଟର ଅଞ୍ଚଳରେ ଧୂଳି ବିଛାଡ଼ି ହୋଇ ପଡ଼ିବ ବୋଲି କୁହାଯାଉଛି। ଏସବୁକୁ ହଟାଇବା ପାଇଁ ୨୦ ମିନିଟ୍ ସମୟ ଲାଗିବ।
ସୁପର୍ଟେକ୍ ଟୁଇନ୍ ଟାଓ୍ବାରର ୧୦୦ ମିଟର ରେଞ୍ଚ୍ ମଧ୍ୟରେ ଥିବା ସମସ୍ତ ଟାଓ୍ବାରକୁ ଖାଲି କରି ଲୋକଙ୍କୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ବାହାରେ ରଖିବା ଲାଗି ଯୋଜନା କରାଯାଇଛି।