ଆଉ କେତେ ଝୁଣ୍ଟିବା

ଶ୍ୱେତପଦ୍ମାସିନୀ ମହାନ୍ତି

 

ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ତାଣ୍ଡବ ଖେଳାଇଦେଇଛି। ଯେତେବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ୟୁନେସ୍କୋ ଏହାର ଭୟାବହତାକୁ ଅନୁଧ୍ୟାନ କରି ସଚେତନ ରହିବାକୁ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଥିଲେ, ସେତେବେଳେ ଆମ ଦେଶ ଏତେଟା ସଂକ୍ରମିତ ହୋଇ ନ ଥିଲା। କିନ୍ତୁ ଆମର ଦୂରଦୃଷ୍ଟି ଅଭାବ ଯୋଗୁ କରୋନା ମାଡ଼ି ଆସିଲା। ସମୟ ଉପଯୋଗୀ ତୁରନ୍ତ ପଦକ୍ଷେପ ନେବାରେ ସରକାର ଝୁଣ୍ଟିପଡ଼ିଥିଲେ। ଭୁଲ୍‌ ସ୍ବରୂପ ଦଣ୍ଡ ମିଳିଲା। ସରକାର ତା’ପରେ ପ୍ରଥମ ଲହରର ସଂକ୍ରମଣ ରୋକିବାରେ କରିଥିବା ତ୍ରୁଟିର ସଂଶୋଧନ କଲେ। ପୁରାତନ ପଦ୍ଧତିର ଅନୁସରଣ ଓ ବିଶେଷଜ୍ଞମାନଙ୍କ ନିର୍ଦ୍ଦେଶ ଅନୁସାରେ ସାରା ଦେଶରେ ‘ତାଲାବନ୍ଦ’ ଘୋଷଣା ହେଲା।
ଲୋକେ ଗୃହବନ୍ଦୀ ଥିବା ଅବସରରେ ସ୍ବାସ୍ଥ୍ୟ ସମ୍ପର୍କିତ ଭିତ୍ତିଭୂମିକୁ ଉନ୍ନତ କଲେ। ରୋଗୀର ଚିକିତ୍ସା ଓ ରୋଗର ପରୀକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଗଲା। ଜନଗଣଙ୍କୁ ସେବା ଯୋଗାଇଦେବା ପାଇଁ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ସ୍ବେଚ୍ଛାସେବୀଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ। ୟା’ ଭିତରେ ସମଗ୍ର ବିଶ୍ୱ କରୋନାର ନିରାକରଣ ପାଇଁ ସଞ୍ଜୀବନୀ ସ୍ବରୂପ ‘ଟିକା’ ବିକାଶ ପାଇଁ ଲାଗିପଡ଼ିଲେ। ଆମ ଦେଶର ବୈଜ୍ଞାନିକମାନେ ମଧ୍ୟ ଟିକା ବିକଶିତ କରିବାରେ ସଫଳ ହେଲେ। ଏଭଳି କଷ୍ଟସାଧ୍ୟ ଉଦ୍ଭାବନ ଆମକୁ ଖୁବ୍‌ଶୀଘ୍ର ମିଳିପାରିଲା। ଜୀବନ ରକ୍ଷା କରିବାର ଦକ୍ଷତା ଅର୍ଜନ ହେଲା ସତ, ମାତ୍ର ଏହାର ସଦ୍‌ଉପଯୋଗ ପାଇଁ ନେତାଙ୍କୁ ପ୍ରବର୍ତ୍ତାଇବାରେ ସରକାରଙ୍କ ପଦକ୍ଷେପ ସେତେଟା ତ୍ୱରାନ୍ବିତ ହେଲା ନାହିଁ।
‘ତାଲାବନ୍ଦ’ କୋହଳ କରାଗଲା। ଗୃହବନ୍ଦୀରୁ ମୁକୁଳି ଆମେ ଦୀର୍ଘଦିନର ଦୁଃସମୟକୁ ପାସୋରି ଦେଲେ, ସରକାର ପଢ଼ାଇଥିବା ସଚେତନତା ପାଠକୁ ଭୁଲିଗଲେ। ମୁକ୍ତିର ଆନନ୍ଦରେ ବିଭୋର ହେଲେ। ଟିକାର ବିକାଶ ଯୋଗୁ ସରକାର ମଧ୍ୟ ଆଶ୍ୱସ୍ତ ଥିଲେ। ତେଣୁ ଏଭଳି ଉଭୟପଟୁ କରୋନାର ମାର୍ଗଦର୍ଶିକାକୁ ଅବହେଳା କରିବା କାରଣରୁ, ପୁଣି ଆମେ ଝୁଣ୍ଟିଲେ। କରୋନା ମହାମାରୀ ଆମର ଭୁଲ୍‌ରୁ ବଳ ଗୋଟାଇ ପୁଣି ସକ୍ରିୟ ହେଲା, ଏଥର ଦଶଗୁଣା ବଳଶାଳୀ ହୋଇ ସଞ୍ଚରିଗଲା ଦ୍ୱିତୀୟ ଲହର। ତାଣ୍ଡବ ରଚିଲା, ଚାରିଆଡ଼େ ହାହାକାର ଖେଳିଗଲା। ଦ୍ୱିତୀୟବାର ଦେଶରେ ‘ତାଲାବନ୍ଦ’ ଘୋଷଣା ନ ହେଲେ ବି ରାଜ୍ୟ ସରକାରମାନେ ନିଜ ରାଜ୍ୟର ଜନତାଙ୍କ ହିତରେ ତାଲାବନ୍ଦକୁ କାର୍ଯ୍ୟକାରୀ କଲେ। ଆବଶ୍ୟକତା ଅନୁସାରେ ନିଜ ରାଜ୍ୟ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କଲେ।
ଏଥରକ ଜନସାଧାରଣଙ୍କ ପାଇଁ ସରକାରଙ୍କର ଅନୁରୋଧ ହେଲା, ପୂର୍ବର ସମସ୍ତ କଟକଣା ମାନ ଓ ତା’ ସହ ତୁରନ୍ତ ଟିକା ନିଅ। ହେଲେ ଟିକାର ପରିମାଣ, ସେତେବେଳକୁ ଜନଗଣଙ୍କ ପ୍ରୟୋଜନ ପୂରଣ ଲାଗି ସକ୍ଷମ ନ ଥିଲା। ଟିକା ତ ହଠାତ୍‌ ଦିନକରେ କୋଟି କୋଟି ସଂଖ୍ୟାରେ ଉତ୍ପାଦିତ ହୋଇପାରିବ ନାହିଁ। ଏଥିପାଇଁ ସମୟ ଦରକାର। କିନ୍ତୁ ଆମ ଜନଗଣ କରୋନାର ଭୟାବହ ଚିତ୍ର ଦେଖି ବିବ୍ରତ ହୋଇପଡିଥିଲେ। ସମସ୍ତେ ଏତେ ସଚେତନ ହେଲେ ଯେ, ଟିକା ନେବା କେନ୍ଦ୍ର ଗୁଡ଼ିକରେ ନାହିଁ ନ ଥିବା ଭିଡ଼ କଲେ। କରୋନା କଟକଣା ଚୁଲିକୁ ଗଲା, ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ନାକେଦମ୍‌ ହେଲା। ବିଚଳିତ କରି ଦେଲା ଭଳି ଏ ଦୃଶ୍ୟ। ଜୀବନ ଆମର, ଦାୟିତ୍ୱ ଆମର। ଏ କଥା ଆମେ ଚେତିଲେ ନାହିଁ। ଟିକା ସମସ୍ତେ ନିଶ୍ଚୟ ନେବେ, ଏଥିପାଇଁ ଟିକିଏ ସମୟ ଦରକାର, କିନ୍ତୁ ଏ ଧୈର୍ଯ୍ୟ ଆମର କାହିଁ!
ଜୀବନ ପାଇଁ ଜୀବିକାର ପଥକୁ ସୁଗମ କରିବା ଲାଗି ରାଜ୍ୟ ସରକାରମାନେ ତାଲାବନ୍ଦକୁ ଧୀରେ ଧୀରେ କୋହଳ କଲେ। କରୋନାର ତୃତୀୟ ଲହର ଆସିବ, ଆସିବନିର ଦ୍ୱନ୍ଦ୍ୱ ସହ, ଏଥର ଏହା ପିଲାମାନଙ୍କୁ ଅଧିକ ସଂକ୍ରମଣ କରିବାର ଆଶଙ୍କା ଥିବାରୁ ସରକାର ପ୍ରସ୍ତୁତିରେ ଲାଗି ପଡ଼ିଲେ ସତ, କିନ୍ତୁ ସରକାରୀ, ବେସରକାରୀ ସବୁ ସ୍ତରରେ ଏକ ଲଗାମହୀନ ଆଚରଣ ଦେଖାଗଲା। ପୁଣି ଝୁଣ୍ଟିପଡ଼ିବା ଭଳି ଅବସ୍ଥା। କଟକଣା ମାନି ସବୁ କରିବାର ନିର୍ଦ୍ଦେଶ ଥିଲେ ବି, ସଭା ସମିତି, ଶୋଭାଯାତ୍ରା, ଅଭ୍ୟର୍ଥନା, ଆନ୍ଦୋଳନ, ମିଶ୍ରଣ ପର୍ବ ଇତ୍ୟାଦିରେ କିଛି ଦେଖାଗଲା ନାହିଁ। ଆମର ମହତଜନଙ୍କ ଆଚରଣରେ ଏଭଳି ବିଡ଼ମ୍ବନା ଦେଖିଲେ ମନେହୁଏ, ସାମାଜିକ ଦାୟିତ୍ୱ ପ୍ରତି ଅଙ୍ଗୀକାରବଦ୍ଧତା, ଏକ ଉଚ୍ଚାରଣ ମାତ୍ର, ମାର୍ମିକ ଆଚରଣ ନୁହେଁ।
କହିବାକୁ ଗଲେ, ମହାମାରୀ ଯୋଗୁ ଆମର ସ୍ବାସ୍ଥ୍ୟ ବିଭାଗଠୁ ଅଧିକା କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବିଭାଗ। କୋମଳମତି ଶିଶୁ ପାଠପଢ଼ା ଖେଳକୁଦରୁ ବଞ୍ଚିତ ହୋଇ ଘରେ ବସିଛନ୍ତି। ଉଚ୍ଚଶିକ୍ଷା ଆଶାୟୀ ତରୁଣ ଯୁବତୀଯୁବକମାନେ ଅନ୍ତର୍ଦ୍ୱନ୍ଦ୍ୱରେ ଘାଣ୍ଟି ହୋଇ ଭବିଷ୍ୟତରେ ଉଚ୍ଚ ଆଶା ଆକାଂକ୍ଷା ହରେଇଲେଣି। ସେମାନଙ୍କ ପାଇଁ ଆମର ଚିନ୍ତା ହେଉଛି ନା ନାହିଁ। ଏଇ ସବୁ ସାମୂହିକ କାର୍ଯ୍ୟକ୍ରମରେ ଅଣ୍ଟାଭିଡ଼ି ଲାଗି ପଡ଼ିଥିବା ନେତାଙ୍କର ପାଠପଢ଼ୁଆ ପିଲା ତ ଘରେ ନିଶ୍ଚୟ ଥିବେ। ଯଦି ଆମର ଆଚରଣ ରହେ, କରୋନା ତ ନିଶ୍ଚୟ ଆସିବ, ଆମ ପିଲାଙ୍କ ପାଠରେ ଡୋରି ବନ୍ଧା ହେବ।
ଆଶ୍ଚର୍ଯ୍ୟ ଲାଗେ, ଦୁଃଖ ଲାଗେ ଏଭଳି ଚିତ୍ରକୁ ବାରମ୍ବାର ଦେଖିଲେ, ମୁଣ୍ଡ ଉପରେ କରୋନାର ଖଣ୍ଡା ଏବେ ବି ଝୁଲୁଛି। ମୃତକଙ୍କ ଜୁଇରୁ ନିଅଁା ଏବେ ବି ଲିଭିନି, ତଥାପି ଆମେ ଏତେ ଦାୟିତ୍ୱହୀନ। ଏଥର କରୋନା ଆସିଲେ, ଆମର ସମସ୍ତ ତପସ୍ୟା ‘ସ୍ବାହା’ ହୋଇଯିବ। ଆଗକୁ ସାମାଜିକ ଓ ରାଜନୈତିକ ସ୍ତରରେ ପାର୍ବଣର ଋତୁ ଆସୁଛି। ସଂଯମତା ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ। କାରଣ ପୁଣି ଥରେ ‘ତାଲାବନ୍ଦ’ ଭଳି ସ୍ଥିତି ଯଦି ସୃଷ୍ଟି ହୁଏ, ତାହାକୁ ସମ୍ଭାଳିବା ପାଇଁ ଆମ ଦେଶ ବା ରାଜ୍ୟର ଛାତିରେ ବଳ ଅଛି ତ? ଏହିଭଳି ବିପଦକୁ ହେୟଜ୍ଞାନ କରାଯାଇ ନ ପାରେ।
ଗୁରୁଜଙ୍ଗ, ଖୋର୍ଦ୍ଧା, ମୋ:୯୪୩୯୬୧୮୬୨୫