ଲୋକଙ୍କୁ କେତେ ଶୋଷିବେ କେନ୍ଦ୍ର ସରକାର: ନିରଞ୍ଜନ

ଭୁବନେଶ୍ୱର,୬।୭(ବ୍ୟୁରୋ): କରୋନା ଏବଂ ତଜ୍ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଲାଣି। ଆର୍ଥିକ ଅନଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି। ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ବାରମ୍ବାର ଦରବୃଦ୍ଧି ଲୋକଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ସାଜିଛି। ଲୋକଙ୍କୁ କେତେ ଆଉ ଶୋଷଣ କଲେ କେନ୍ଦ୍ର ସରକାର ସନ୍ତୁଷ୍ଟ ହେବେ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନିରଞ୍ଜନ କହିଛନ୍ତି, ଭାଜପା ସରକାରଙ୍କ ଏପରି ଜନମାରଣ ନୀତିର ଜବାବ ଲୋକମାନେ ଦେବେ। ପେଟ୍ରୋଲ ବର୍ତ୍ତମାନ ୧୦୦ ଟଙ୍କା ପାର ହୋଇସାରିଥିବା ବେଳେ ଡିଜେଲ ୧୦୦ ଛୁଇଁବ ଏବଂ ରନ୍ଧନ ଗ୍ୟାସ୍‌ ୮୬୧ଟଙ୍କା ହେଲାଣି। ଉପା ସରକାର ସମୟରେ ୨୦୧୩ ଜୁଲାଇରେ ପେଟ୍ରୋଲ ଲିଟର ପିଛା ଦାମ ୭୪ ଟଙ୍କା ୨୪ ପଇସା ଥିଲାବେଳେ ଡିଜେଲ ୬୭ ଟଙ୍କା ୫୭ ପଇସା ଥିଲା। ସେତେବେଳେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ଥିଲା ୧୦୨.୯୨ ଡଲାର ଥିଲା ବେଳେ ବର୍ତ୍ତମାନ ଏହା ୭୫ ଡଲାର ଅଛି। ଏହାଦ୍ୱାରା ଖାଉଟିଙ୍କ ଉପରେ ସିଧାସଳଖ ବୋଝ ପଡ଼ିବା ସହିତ ଦରଦାମ ବୃଦ୍ଧି ପାଉଛି। ଲୋକଙ୍କ ଅସନ୍ତୋଷ କ୍ରମଶଃ ପ୍ରତିବାଦ, ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଲାଣି। ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ୍‌ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୋଧରେ ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶ ତମାମ କଂଗ୍ରେସ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବ। ୭ରେ ପ୍ରତ୍ୟେକ ବ୍ଲକ ସାମ୍ନାରେ ପ୍ରତିବାଦରେ ଲୋକେ ଝାଞ୍ଜ, ଘଣ୍ଟମାଡ଼ କରି ପ୍ରତିବାଦ କରିବେ। ଜୁଲାଇ ୯ରେ ଜିଲା ସଦର ମହକୁମାରେ ସାଇକେଲ ଯାତ୍ରା ଜରିଆରେ ପ୍ରତିବାଦ ହେବ। ଜୁଲାଇ ୧୪ରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନ୍ଦୋଳନ, ଜୁଲାଇ ୧୫ରେ ମହଙ୍ଗା ମାଡ଼ର ପ୍ରତିବାଦ ସ୍ବରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନ ପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ୍‌ ନ କିଣିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ, ଜୁଲାଇ ୧୭ରେ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ବୋଲି ନିରଞ୍ଜନ କହିଛନ୍ତି।

Share