ଭାଲଚନ୍ଦ୍ର ଷଡ଼ଙ୍ଗୀ
ସମାଜର ସବୁ ମଣିଷଙ୍କୁ ଜୀବିତ ରଖିବା ପାଇଁ ଖାଦ୍ୟ ଅଧିକାର ଏକ ମୌଳିକ ଓ ସାର୍ବଭୌମ ଅଧିକାର। ଆଜିର ଦିନରେ ବିନା କୌଣସି ପ୍ରତିବନ୍ଧକରେ ସରକାର ଚାହିଁଲେ ଏହି ଅଧିକାରକୁ ସହଜରେ ସୁନିଶ୍ଚିତ କରିପାରିବେ। କିନ୍ତୁ ସରକାରଙ୍କ ଭୁଲ ନୀତି ଯୋଗୁ ଆମ ଜନସଂଖ୍ୟାର ଏକ ବଡ଼ସଂଖ୍ୟକ ଭାଗ ଆଜି ବି କ୍ଷୁଧା ଓ ଅନାହାରରେ ଶଢ଼ିବାକୁ ବାଧ୍ୟ ହେଉଛନ୍ତି। ଦେଶରେ ଖାଦ୍ୟଶସ୍ୟର ରେକର୍ଡ଼ ଉପତ୍ାଦନ ସତ୍ତ୍ୱେ ଅର୍ଦ୍ଧାଧିକ ଲୋକଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ନ ମିଳିବା କେବଳ ଲଜ୍ଜାଜନକ ନୁହେଁ, ବରଂ ଆମ ବ୍ୟବସ୍ଥାର ଜନବିରୋଧୀ ଚରିତ୍ରକୁ ପ୍ରକାଶ କରୁଛି।
ଖାଦ୍ୟ ସମସ୍ୟା କେବଳ ଆମ ଦେଶର ନୁହେଁ, ବରଂ ବିଶ୍ୱର ଏକ ପ୍ରମୁଖ ସମସ୍ୟା। ବିଶ୍ୱର ଏକ ଚତୁର୍ଥାଂଶ ଲୋକ ବିଶେଷ କରି ଏସିଆ ଓ ଆଫ୍ରିକାର ଜନସଂଖ୍ୟାର ଏକ ବଡ଼ ଭାଗ ବଞ୍ଚତ୍ବା ପାଇଁ ସର୍ବନିମ୍ନ ଆବଶ୍ୟକୀୟ ଖାଦ୍ୟରୁ ମଧ୍ୟ ବଞ୍ଚତ୍ତ ରହିଛନ୍ତି। ଦୁନିଆର କୁପୋଷିତ ଲୋକଙ୍କ ସବୁଠାରୁ ବଡ଼ ଭାଗଟି ଭାରତରେ ରୁହନ୍ତି। ଦେଶର ପ୍ରାୟ ୧୯ କୋଟି ଲୋକ ଅନାହାର ଓ ଅର୍ଦ୍ଧାହାରର ଶିକାର ହୋଇ ପ୍ରତିଦିନ ଗୋଟିଏ ଓଳା ଭୋକରେ ଶୋଇବାକୁ ବାଧ୍ୟ ହୁଅନ୍ତି। ପାଞ୍ଚ ବର୍ଷରୁ କମ୍ ବୟସର ଦେଶର ୧୫.୩ % ଶିଶୁ କୁପୋଷିତ ହୋଇଥିବା ଯୋଗୁଁ ରୋଗବ୍ୟାଧିର ସହଜ ଶିକାର ହୋଇଥାନ୍ତି। ଭୟଙ୍କର କ୍ଷୁଧା ଓ କୁପୋଷଣର ଶିକାର ବିଶ୍ୱର ୧୧୯ଟି ଦେଶକୁ ନେଇ ପ୍ରସ୍ତୁତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୨୦୧୪ରେ ଭାରତ ୫୫ତମ ସ୍ଥାନରେ ରହିଥିବା ବେଳେ ୨୦୨୦ ରେ ୯୪ତମ ଏବଂ ଚଳିତ ବର୍ଷ ୧୦୧ତମ ସ୍ଥାନକୁ ଖସିଛି। ଏପରିକି ବାଂଲାଦେଶ, ପାକିସ୍ତାନ ଓ ନେପାଳ ପରି ପଡ଼ୋଶୀମାନଙ୍କ ଠାରୁ ବି ଭାରତ ତଳେ ରହିଛି। ବିଶ୍ୱରେ ସୋମାଲିଆ, ପପୁଆ ନିଉଗିନି, ଆଫଗାନିସ୍ଥାନ ପରି ୧୫ଟି ଦେଶ ହିଁ ଏ କ୍ଷେତ୍ରରେ ଆମଠାରୁ ତଳେ ରହିଛନ୍ତି। ଦେଶରେ କୋଭିଡ୍ ମହାମାରୀ ଓ ଲକ୍ଡାଉନ୍ ସତ୍ତ୍ୱେ ଖାଦ୍ୟଶସ୍ୟର ରେକର୍ଡ଼ ଉପତ୍ାଦନ ହୋଇଛି। ସରକାରଙ୍କ ଖାଦ୍ୟ ନିଗମର ଗୋଦାମମାନଙ୍କରେ ଏତେ ବିପୁଳ ପରିମାଣର ଖାଦ୍ୟଶସ୍ୟକୁ ରଖିବାକୁ ଜାଗା ନାହିଁ। ଅନ୍ୟପଟେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମୂଷା, ପୋକ ଆଦି ଦ୍ୱାରା ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ଖାଦ୍ୟଶସ୍ୟ ନଷ୍ଟ ହେଉଛି। ଅଥଚ ଦେଶର ଅଧିକାଂଶ ଜନତା ଖାଦ୍ୟ ଅଭାବରୁ କ୍ଷୁଧା ଓ କୁପୋଷଣ ମଧ୍ୟରେ ରହିଛନ୍ତି। ଦେଶରେ ଖାଦ୍ୟଶସ୍ୟର ଉପତ୍ାଦନ ଲଗାତାର ବଢ଼ୁଥିଲେ ବି ମୁଣ୍ଡପିଛା ଉପଲବ୍ଧତା ହ୍ରାସ ପାଇବାରେ ଲାଗିଛି। ଦେଶର ୮୦ କୋଟିରୁ ଅଧିକ ଜନତା ସରକାରଙ୍କ ଶସ୍ତା ରାଶନ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଦେଶର ଖାଦ୍ୟ ସୁରକ୍ଷା ପରିସ୍ଥିତିରେ ଏଭଳି ବିରୋଧାଭାସଟି ଶାସକ ଶ୍ରେଣୀର ଜନବିରୋଧୀ ନୀତିର ହିଁ ପରିଣାମ।
ଦେଶବାସୀଙ୍କ ଖାଦ୍ୟ ସୁରକ୍ଷାକୁ କଦାପି ବଜାରର ଦୟାରେ ଛଡ଼ାଯାଇ ନ ପାରେ। କାରଣ ଖାଦ୍ୟଶସ୍ୟର ବ୍ୟବସାୟୀମାନେ ସାଧାରଣତଃ ଅମଳ ସମୟରେ ଚାଷୀଙ୍କଠାରୁ ଶସ୍ତାରେ ଖାଦ୍ୟଶସ୍ୟ କିଣି ପରେ ତାକୁ ଚଢ଼ା ଦରରେ ବିକ୍ରି କରିଥା’ନ୍ତି। ଏଭଳି ପରିସ୍ଥିତିରେ ଜନଗଣଙ୍କ ଖାଦ୍ୟ ସୁରକ୍ଷା ପାଇଁ ସରକାରଙ୍କ ଭୂମିକା ଜରୁରୀ। ଏହିକ୍ରମରେ ହିଁ ୧୯୬୫ରେ ଜାତୀୟ ଖାଦ୍ୟନୀତି ପ୍ରଣୟନ କରାଯାଇଥିଲା। ସମାଜର ସବୁ ଲୋକଙ୍କୁ ଗଣବଣ୍ଟନ ଜରିଆରେ ଶସ୍ତାରେ ଖାଦ୍ୟଶସ୍ୟ ଯୋଗାଇ ଦେବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସରକାର ଗୋଟିଏ ପଟେ ଭାରତୀୟ ଖାଦ୍ୟ ନିଗମ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ଧାନ, ଗହମ ଆଦି ଖାଦ୍ୟଶସ୍ୟ କିଣିବା ସହ ତାକୁ ଗଣବଣ୍ଟନ ଜରିଆରେ ସାଧାରଣ ଲୋକଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇଲେ।
କିନ୍ତୁ ୧୯୯୧ରେ ଦେଶରେ ଆର୍ଥିକ ସଂସ୍କାର ଆରମ୍ଭ ପରେ ବିଶେଷକରି ଭାରତ ବିଶ୍ୱ ବାଣିଜ୍ୟ ସଙ୍ଗଠନରେ ସଭ୍ୟଭୁକ୍ତ ହେବା ପରେ ସରକାର ଖାଦ୍ୟ ସୁରକ୍ଷା ପାଇଁ ନିଜ ଦାୟିତ୍ୱରୁ ଓହରିବାକୁ ଲାଗିଲେ। ଖାଦ୍ୟ ସୁରକ୍ଷା ପାଇଁ ଦିଆଯାଉଥିବା ସବ୍ସିଡିକୁ କମାଇବା ସହ ଦେଶରେ ଖାଦ୍ୟଶସ୍ୟର ବ୍ୟବସାୟ କରିବାକୁ ବଡ଼ କମ୍ପାନୀମାନଙ୍କ ପାଇଁ ଦ୍ୱାର ଖୋଲିଦେଲେ। ରାଶନ ବ୍ୟବସ୍ଥାକୁ ସଙ୍କୁଚିତ କରି ୧୯୯୭ରେ ଏପିଏଲ୍ ଓ ବିପିଏଲ୍ ନଁାରେ ବିଭାଜିତ କରାଯିବା ସହ କେବଳ ବିପିଏଲ୍ ତାଲିକାଭୁକ୍ତ ଲୋକଙ୍କୁ ହିଁ ରିହାତିରେ ଖାଦ୍ୟଶସ୍ୟ ଯୋଗାଗଲା। ଦେଶର ଏକ ବଡ଼ ଭାଗ ଜନତା ସରକାରଙ୍କ ଏହି ଜନବିରୋଧୀ ନୀତି ଲାଗି ଶସ୍ତା ଖାଦ୍ୟଶସ୍ୟ ପାଇବାରୁ ବଞ୍ଚତ୍ତ ହେଲେ। ତେବେ ସରକାରଙ୍କ ବଡ଼ ବଡ଼ ଘୋଷଣା ସତ୍ତ୍ୱେ ଦେଶର ବିଭିନ୍ନ ସ୍ଥାନରୁ ଦାରିଦ୍ର୍ୟ ଓ ଅନାହାରର ଭୟଙ୍କର ଚିତ୍ର ସାମ୍ନାକୁ ଆସିବାକୁ ଲାଗିଲା। ଏସବୁ ଘଟଣା ସରକାରଙ୍କ ତଥାକଥିତ ବିକାଶର ମୁଖାକୁ ଖୋଲିଦେବା ସହିତ ଖାଦ୍ୟ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବାଧ୍ୟକଲା।
ଦେଶର ଗ୍ରାମାଞ୍ଚଳର ୭୫% ଏବଂ ସହରାଞ୍ଚଳର ୫୦% ଭାଗ ଜନତାଙ୍କ ଖାଦ୍ୟ ସୁରକ୍ଷାର ସମସ୍ୟା ରହିଛି ବୋଲି ସ୍ବୀକାର କରି ୨୦୧୩ ରେ ତତ୍କାଳୀନ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଥିଲେ। ଏକ ଶକ୍ତିଶାଳୀ ଗଣବଣ୍ଟନ ବ୍ୟବସ୍ଥାର ଅନୁପସ୍ଥିତି ଭୋକର ସ୍ଥିତିକୁ ଅଧିକ ଖରାପ କରୁଥିବାରୁ ସରକାର ଖାଦ୍ୟ ସୁରକ୍ଷାର ସଙ୍କଟକୁ ଦୂର କରିବା ପାଇଁ ସାର୍ବଜନୀନ ଗଣବଣ୍ଟନ ଯୋଜନା କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ପରିତାପର ବିଷୟ, ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସରକାର ଦେଶରେ ଭୋକିଲା ଜନତାଙ୍କୁ ଯେଉଁ ଖାଦ୍ୟଶସ୍ୟ ବଣ୍ଟନ କରୁଛନ୍ତି ତାହା ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ। ଖୋଦ୍ କେନ୍ଦ୍ର ସରକାରଙ୍କ ଆଇସିଏମ୍ଆର୍ ସଂସ୍ଥା ଜଣେ ବ୍ୟକ୍ତି ପାଇଁ ମାସିକ ସର୍ବନିମ୍ନ ୧୫ କିଲୋ ଖାଦ୍ୟଶସ୍ୟ ଜରୁରୀ ବୋଲି କହୁଥିବା ବେଳେ ସରକାର ଖାଦ୍ୟ ସୁରକ୍ଷା ଆଇନରେ ମାତ୍ର ୫ କିଲୋ ଖାଦ୍ୟଶସ୍ୟ ପ୍ରଦାନ କରୁଛନ୍ତି। ଏପରିକି ଶରୀର ପୁଷ୍ଟିହୀନତା ଦୂର ପାଇଁ ଡାଲି ଏବଂ ଖାଇବା ତେଲର ଆବଶ୍ୟକତା ରହିଥିବା ବେଳେ ସରକାରଙ୍କ ଖାଦ୍ୟ ସୁରକ୍ଷା କେବଳ ଚାଉଳ ବା ଗହମରେ ହିଁ ସୀମିତ ରହିଛି। ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ସରକାର ପୂର୍ବରୁ ଦିଆଯାଉଥିବା ଖାଦ୍ୟଶସ୍ୟର ପରିମାଣକୁ ବି ହ୍ରାସ କରିଛନ୍ତି। ପୂର୍ବରୁ ପରିବାର ପିଛା ୩୫ କିଲୋ ଚାଉଳ ଦେଉଥିବା ବଦଳରେ ବର୍ତ୍ତମାନ ତାକୁ ବ୍ୟକ୍ତି ପିଛା ୫ କିଲୋକୁ ହ୍ରାସ କରିବା ଫଳରେ ସାତ ଜଣରୁ କମ୍ ଥିବା (ଦେଶର ୮୬% ପରିବାର) ପୂର୍ବାପେକ୍ଷା କମ୍ ଚାଉଳ ପାଉଛନ୍ତି।
ଦେଶର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ଏବେ ସବୁଠାରୁ ବଡ଼ ଆକ୍ରମଣ କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି। ଆମ ଦେଶର ଖାଦ୍ୟଶସ୍ୟର ବଜାରରେ ଆମେରିକା ଓ ୟୁରୋପର ବଡ଼ ବଡ଼ କମ୍ପାନୀଗୁଡ଼ିକ ପଶିବାକୁ ଚାହୁଁଛନ୍ତି। ତେବେ ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଲୋକଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ ଯୋଗାଇବାକୁ ମୁଖ୍ୟ ପ୍ରତିବନ୍ଧକ ବୋଲି ଭାବୁଛନ୍ତି। ଯଦିଓ ଆମେରିକା ଓ ୟୁରୋପର ସାମ୍ରାଜ୍ୟବାଦୀ ଦେଶଗୁଡ଼ିକ ନିଜ ଦେଶରେ କୃଷି ଓ ଖାଦ୍ୟଶସ୍ୟ ବାବଦରେ ଆମଠାରୁ ବହୁଗୁଣ ଅଧିକ ସବ୍ସିଡି ଦେଉଛନ୍ତି, କିନ୍ତୁ ସେମାନେ ଭାରତ ପରି ବିଶ୍ୱର ସର୍ବାଧିକ ଭୋକିଲା ଲୋକ ରହୁଥିବା ଦେଶରେ ରାଶନ ଜରିଆରେ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟ ସବ୍ସିଡିକୁ ବନ୍ଦ କରିବାକୁ ଚାପ ପକାଉଛନ୍ତି।
ଦେଶୀ ବିଦେଶୀ ବୃହତ୍ କର୍ପୋରେଟ୍ଙ୍କ ସ୍ବାର୍ଥରେ ମୋଦି ସରକାର ଇତିମଧ୍ୟରେ ତିନୋଟି କୃଷି ଆଇନ ଆଣିଛନ୍ତି, ଯାହାକୁ ଦେଶର କୃଷକମାନେ ବିରୋଧ କରୁଛନ୍ତି। ଉପରୋକ୍ତ ଆଇନ ଫଳରେ କୃଷି ଉପରେ କର୍ପୋରେଟଙ୍କ ନିୟନ୍ତ୍ରଣ ସ୍ଥାପିତ ହେବା ସହ ଦେଶରେ ମଣ୍ଡି ଜରିଆରେ ଖାଦ୍ୟଶସ୍ୟର ସରକାରୀ ସଂଗ୍ରହ ବନ୍ଦ ହୋଇଯିବ। ସରକାର ଯଦି ଚାଷୀଠାରୁ ଖାଦ୍ୟଶସ୍ୟ କିଣିବେନି, ତା’ହେଲେ ଦେଶରେ ଖାଦ୍ୟ ସୁରକ୍ଷା ଯୋଜନାରେ ଶସ୍ତା ଖାଦ୍ୟଶସ୍ୟ ବାଣ୍ଟିବା ବି ବନ୍ଦ କରିଦେବେ। ଏଭଳି ନୀତି ଦେଶର କୃଷକମାନଙ୍କୁ ନିଜର ଉପତ୍ାଦିତ ଫସଲକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ କରିବ ଏବଂ କୋଟି କୋଟି ଅନାହାର ଓ ଅର୍ଦ୍ଧାହାର ଲୋକଙ୍କୁ ଶସ୍ତା ଖାଦ୍ୟରୁ ବଞ୍ଚତ୍ତ କରି ସେମାନଙ୍କ ଖାଦ୍ୟ ସୁରକ୍ଷାକୁ ବିପନ୍ନ କରିବ। କର୍ପୋରେଟଙ୍କ ସ୍ବାର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସରକାର କରିଥିବା ସଂଶୋଧନ ଫଳରେ ବଜାରରେ ବଡ଼ କମ୍ପାନୀ ଓ ବେପାରୀମାନେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀକୁ ଶସ୍ତାରେ କିଣି ଗୋଦାମରେ ମନଇଚ୍ଛା ଜମା କରିବାକୁ ତଥା ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ାଦରରେ ବିକ୍ରି କରିବାକୁ ସୁଯୋଗ ପାଇବେ। ଏହାଫଳରେ ଖାଦ୍ୟଶସ୍ୟ ମହଙ୍ଗା ହେବା ସହ ସାଧାରଣ ଲୋକଙ୍କ ପହଞ୍ଚରୁ ବାହାରକୁ ଚାଲିଯିବ।
ଦେଶରେ ଅନାହାର ଓ ପୁଷ୍ଟିହୀନତାର ଅନ୍ୟତମ ବଡ଼ କାରଣ ହେଲା, ଲୋକଙ୍କ କ୍ରୟଶକ୍ତିରେ ହ୍ରାସ ଯୋଗୁ ବଜାରରୁ ଖାଦ୍ୟ କିଣିବାରେ ଲୋକଙ୍କ ଅସାମର୍ଥ୍ୟତା। ବିଶ୍ୱ ଖାଦ୍ୟ ଓ କୃଷି ସଙ୍ଗଠନର ହିସାବ ଅନୁଯାୟୀ ଚାଉଳ ଓ ଗହମ ପରି ଶକ୍ତିବର୍ଦ୍ଧକ ଖାଦ୍ୟ ବାବଦରେ ବ୍ୟକ୍ତି ପିଛା ଦୈନିକ ୦.୭୯ ଡଲାର ଦରକାର ପଡ଼ୁଥିବା ବେଳେ ପୁଷ୍ଟିସାର ଜନିତ ଖାଦ୍ୟ ବାବଦରେ ୧.୯ ଡଲାର ଏବଂ ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ ବାବଦରେ ଦୈନିକ ୩.୪୧ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ। ଖାଦ୍ୟ ଓ କୃଷି ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଦେଶରେ ଭାତ ଓ ରୁଟି ପରି ଶକ୍ତିବର୍ଦ୍ଧକ ଖାଦ୍ୟ ପାଇବାରେ ଅସମର୍ଥ ଜନତାଙ୍କ ସଂଖ୍ୟାରେ ମାତ୍ର ୦.୯% ହ୍ରାସ ପାଇଥିବା ବେଳେ ୩୯.୧% ଲୋକ ପୁଷ୍ଟିସାର ଖାଦ୍ୟରୁ ବଞ୍ଚତ୍ତ ଅଟନ୍ତି ଏବଂ ୭୭.୯% ଲୋକ ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ ପାଇବାକୁ ବଞ୍ଚତ୍ତ ଅଟନ୍ତି।
ବର୍ତ୍ତମାନ ସମାଜର ସବୁ ଲୋକଙ୍କୁ ଯେପରି ପର୍ଯ୍ୟାପ୍ତ ଓ ନିରାପଦ ଖାଦ୍ୟ ଉପଲବ୍ଧ ହୋଇପାରିବ, ସେକଥା ଚିନ୍ତା କରିବାର ବେଳ ଆସିଛି। ସରକାର ଖାଦ୍ୟଶସ୍ୟ ବିକ୍ରି କରୁଥିବା ବଡ଼ ବଡ଼ କମ୍ପାନୀର ମୁନାଫା ପରିବର୍ତ୍ତେ ନିଜର ନାଗରିକମାନଙ୍କ ଖାଦ୍ୟର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସାର୍ବଜନୀନ ବଣ୍ଟନ ଯୋଜନାକୁ ଶକ୍ତିଶାଳୀ ଓ ବ୍ୟାପକ କରି ଖାଦ୍ୟ ଆବଶ୍ୟକ କରୁଥିବା ସମାଜର ପ୍ରତିଟି ଲୋକକୁ ରିହାତି ମୂଲ୍ୟରେ ଖାଦ୍ୟ ଯୋଗାଇବା ଅତ୍ୟନ୍ତ ଜରୁରୀ।
ମୋ: ୯୪୩୭୧୬୬୩୯୧