Categories: ଜାତୀୟ

ସମାଧାନ ଆଡ଼େ ମୁହାଁଉଛି କେନ୍ଦ୍ର-କୃଷକ ବିବାଦ

ନୂଆଦିଲ୍ଲୀ,୩୧ା୧୨- ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୀର୍ଘ ମାସକ ପରେ ସମାଧାନ ମୁହଁା ହୋଇଛି। ବୁଧବାର କୃଷକ ସଂଗଠନର ପ୍ରତିନିଧି ଓ ୩ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ୪ ପ୍ରସଙ୍ଗକୁ ନେଇ ଆଲୋଚନ ହୋଇଥିଲା। ଷଷ୍ଠ ରାଉଣ୍ଡ ଆଲୋଚନାରେ ୨ଟି (ବାୟୁ ପ୍ରଦୂଷଣ ଆଇନ ଓ ବିଦ୍ୟୁତ୍‌ ସଂଶୋଧିତ ବିଲ) ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି ଉଭୟ ପକ୍ଷ। ହେଲେ ଆଇନଗତ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଓ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି ଛାଡ଼ିବାକୁ ରାଜି ନାହାନ୍ତି କୃଷକ ପ୍ରତିନିଧି।

ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ୫ ଥର ଆଲୋଚନାରେ କୃଷକମାନେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ। ମାତ୍ର ଏଥର କେବଳ ଚା’ ଗ୍ରହଣ କରିଥିଲେ। ପ୍ରତିବଦଳରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳବାଇ ମନ୍ତ୍ରୀ ପିୟୂଷ ଗୋଏଲ କୃଷକଙ୍କ ସହ ଭୋଜନ (ଲାଙ୍ଗର) କରିଥିଲେ। ଏହା ଦର୍ଶାଉଛି ଉଭୟ ପକ୍ଷ ମୁଣ୍ଡ ନୁଆଇବାକୁ ପ୍ରସ୍ତୁତ। ଆସନ୍ତା ୪ ତାରିଖରେ ପୁଣି ଥରେ ଆଲୋଚନା କରାଯିବା ନେଇ ସୂଚନା ଦିଆଯାଇଛି।

Share