ବରଗଡ଼ ଅଫିସ୍,୧୮।୨: ବରଗଡ଼ ସହରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ଜଣେ ଗ୍ରାହକଙ୍କ ଲକରରୁ ୩୩ ଲକ୍ଷ ୩୭ ହଜାର ଟଙ୍କାର ସୁନା, ରୂପା ଅଳଙ୍କାର ଗାଏବ ହୋଇଥିଲା। ଏ ନେଇ ବରଗଡ଼ ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଛି। ସବ୍ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିୟାର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟାଙ୍କର ଉକ୍ତ ଶାଖାରେ ପହଞ୍ଚି ଛାନଭିନ୍ କରିଥିଲେ। ବ୍ୟାଙ୍କର ମୁଖ୍ୟ ପରିଚାଳକ ରାଜେନ୍ଦ୍ର କୁମାର ଦାଶ ଏବଂ ଡେପୁଟି ଶାଖା ପରିଚାଳକ(ଡିବିଏମ୍) ଦୁର୍ଯ୍ୟୋଧନ ବେହେରାଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଉଚୁରା କରିଥିଲେ। ଏ ସମ୍ପର୍କରେ ବ୍ୟାଙ୍କର ମୁଖ୍ୟ ପରିଚାଳକ ଦାଶ କହିଛନ୍ତି, ପୋଲିସ ଘଟଣାର ତଦନ୍ତ କରୁଛି। ବ୍ୟାଙ୍କକୁ ମଧ୍ୟ ପୋଲିସ କିଛି ତଥ୍ୟ ମାଗିଛି। ପୋଲିସ ଯେଉଁସବୁ ତଥ୍ୟ ମାଗିଛି ତାହା ଦିଆଯିବ ଏବଂ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଥିଲେ।