ରାଗ କମାଇବେ କିପରି

ରାଗ, କ୍ରୋଧ ମଣିଷର ବହୁତ କ୍ଷତି ପହଞ୍ଚାଇଥାଏ। ରାଗରେ ବେଳେବେଳେ ପାଟିରୁ ଏମିତି କିଛି କଟୁ କଥା ବାହାରିଯାଏ, ଯାହା କେବଳ ବାହାର ଲୋକଙ୍କୁ ନୁହେଁ ଘର ଲୋକଙ୍କୁ ବି ବହୁତ ଖରାପ ଲାଗିଥାଏ; ଯଦ୍ଦ୍ବାରା ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ। ତେବେ ବିଶ୍ୱାସ କରାଯାଏ, ଜ୍ୟୋତିଷଶାସ୍ତ୍ର ଓ ବାସ୍ତୁଶାସ୍ତ୍ରର କିଛିଟା ନିୟମ ମାନିଲେ ରାଗ ଉପରେ ନିୟନ୍ତ୍ରଣ ଆସିଥାଏ…

* ଘରର ଆଗ୍ନେୟ କୋଣରେ ଶୟନ କକ୍ଷ କିମ୍ବା ଡ୍ରଇଂ ରୁମ୍‌ (ଯେଉଁଠାରେ ବ୍ୟକ୍ତି ଅଧିକ ସମୟ ବିତାଇଥାନ୍ତି) ରହିଲେ ବ୍ୟକ୍ତିଙ୍କ ଭିତରେ ରାଗ ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଏପରି କି ଅଫିସ୍‌ରେ ବସ୍‌ଙ୍କ ଚାମ୍ବର ବି ଏହି କୋଣରେ ରହିବା ଆଦୌ ଠିକ୍‌ ନୁହେଁ।

* ଶରୀରରେ ମୋତି ଧାରଣ କରିବା ଦ୍ୱାରା ବି ରାଗକୁ ନିୟନ୍ତ୍ରଣରେ ରଖାଯାଇପାରିବ। କିନ୍ତୁ ଯେଉଁମାନଙ୍କର ଜାତକରେ ଚନ୍ଦ୍ରମା ଶୁଭ ସ୍ଥାନରେ ରହିଥିବ ସେମାନେ ମୋତି ଧାରଣ କଲେ ଶୁଭଫଳ ମିଳେ ନଚେତ୍‌ ଫଳ ଓଲଟା ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ଅଛି।

* ରାଗ ଆସିବା ସମୟରେ ଆଖି ବନ୍ଦ କରି ଗୁରୁମନ୍ତ୍ର ଜପିଲେ କିମ୍ବା ମା’ବାପାଙ୍କୁ ସ୍ମରଣ କଲେ ମନକୁ ବେଶ୍‌ ହାଲ୍‌କା ଲାଗିଥାଏ ବୋଲି ବିଶ୍ୱାସ ରହିଛି।

* ପ୍ରତିଦିନ ସୂର୍ଯ୍ୟ ନମସ୍କାର କିମ୍ବା ପ୍ରାଣାୟମ କଲେ ବି ରାଗ ଉପରେ ନିୟନ୍ତ୍ରଣ ଆସିଥାଏ।

* ଜାତକରେ ଗ୍ରହର ପ୍ରଭାବ ଅନୁସାରେ ସେହି ଦେବୀଦେବତାଙ୍କୁ ଆରାଧନା କଲେ ରାଗ ଉପରେ ନିୟନ୍ତ୍ରଣ ଆସିଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି।