ଯେ କୌଣସି କାମ ହେଉନା କାହିଁକି, ତାକୁ କରିବା ପାଇଁ ଯଦି ଆପଣ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସବୁବେଳେ ପ୍ରସ୍ତୁତ ରହୁଛନ୍ତି, ତା’ହେଲେ ତାକୁ ହିଁ କୁହାଯାଇଥାଏ ଫୂର୍ତ୍ତି ବା ଆକ୍ଟିଭ୍ନେସ୍। ଯେଉଁ ବ୍ୟକ୍ତି ଜୀବନରେ ଯେତେ ଫୂର୍ତ୍ତି ଥାନ୍ତି, ତାଙ୍କୁ ସଫଳତା ସେହି ମାତ୍ରାରେ ହିଁ ମିଳିଥାଏ। ତେଣିକି ସେ ପାଠପଢ଼ା ହେଉ ଅବା ଖେଳକୁଦ କିମ୍ବା କ୍ୟାରିୟର। ତେବେ ଏହି ଫୂର୍ତ୍ତିପଣକୁ ବଢ଼ାଇବା ପାଇଁ ସେମିତି କିଛି ବଡ଼ କାମ କରିବା ଆବଶ୍ୟକ ନାହିଁ। ବାସ୍ କେତୋଟି ସହଜ ଉପାୟ ଆପଣେଇ ମଧ୍ୟ ନିଜକୁ ଫିଟ୍ ରଖିବା ସହ ମନ ଭିତରେ ଆକ୍ଟିଭ୍ନେସ୍କୁ ବଢ଼ାଯାଇପାରିବ। ଯେମିତି କି ଠିକ୍ ସମୟରେ ଭୋଜନ କରିବା ସହ ପର୍ଯ୍ୟାପ୍ତ ପାଣି ପିଇବେ। ରାତିରେ ଅନ୍ତତଃ ୮ ଘଣ୍ଟା ଶୋଇବେ। ପ୍ରତିଦିନ ବ୍ୟାୟାମ କଲେ ମଧ୍ୟ ଶରୀର ଫୂର୍ତ୍ତି ରହିଥାଏ। କାରଣ ଏହାଦ୍ୱାରା ଶରୀରରେ ଥିବା ଚର୍ବି ଅଂଶ କମିବା ସହ ରକ୍ତ ସଞ୍ଚାଳନ ଠିକ୍ରେ ହୋଇଥାଏ। ଆବଶ୍ୟକ ହେଲେ କିଛି ସମୟ ଆଉଟ୍ଡୋର୍ ଗେମ୍ ବି ଖେଳିପାରିବେ, ଏହା ବି ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ। ଏଥିସହିତ ନିଶାସେବନଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖିବା ସହ ଚିନ୍ତାମୁକ୍ତ ରହିଲେ ଶାରୀରିକ ଓ ମାନସିକ ସ୍ତରରେ ଆପଣ ସେତେ ଦୃଢ଼ ହୋଇପାରିବେ ଆଉ ଫୂର୍ତ୍ତି ଅନୁଭବ କରିପାରିବେ।