ଧନ ବଢିବ କିପରି

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗରେ ଯଦି ନୀଳ ରଙ୍ଗର କୌଣସି ଏକ ଆର୍ଟିଫିସିଆଲ୍‌ ପିରାମିଡ୍‌କୁ ରଖି ଦିଆଯାଏ, ତା’ହେଲେ ବି ଏହା ଧନବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ। ପିରାମିଡ୍‌ ନ ମିଳିଲେ ତା’ପରିବର୍ତ୍ତେ ଏହି ଦିଗର କାନ୍ଥକୁ ନୀଳ ରଙ୍ଗରେ ପେଣ୍ଟ୍‌ ମଧ୍ୟ କରିପାରିବେ। ଅନ୍ୟପକ୍ଷେ, ଉତ୍ତର ଦିଗରେ କାଚ ବାଉଲ୍‌ରେ କିଛି ରୁପା କଏନ୍‌ ଭର୍ତ୍ତି କରି ରଖିଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହେ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଘରର ଉତ୍ତର-ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ସେଠାରେ ପ୍ରତିଦିନ ଦୀପ ଜାଳିଲେ ଘରେ କେବେ ଟଙ୍କା ପଇସା ଅଭାବ ଦେଖାଯାଇ ନ ଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ସେହିପରି ଘରର ମୁଖିଆ ଯଦି ଘରର ଉତ୍ତର ଦିଗରେ ତୁଳସୀ ଗଛ ହେଉ ଅବା ଅଁଳା ଗଛଟିଏ ଲଗାଇଥାନ୍ତି, ତା’ହେଲେ ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି।