Categories: ଜାତୀୟ

କେମିତି ବଞ୍ଚିବେ ପ୍ରବାସୀ: ହାତରେ ଟଙ୍କା କି କାମ ନାହିଁ

ନୂଆଦିଲ୍ଲୀ,୧୪ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ସରକାରମାନେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ ପ୍ରବାସୀ ଶ୍ରମିକମାନଙ୍କ ହାତରେ ଟଙ୍କା ନାହିଁ କି କାମ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ସେମାନେ କେମିତି ବଞ୍ଚତ୍ବେ ବୋଲି ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଏହାସହ ପ୍ରବାସୀଙ୍କ ନିଷ୍ଠୁର ବାସ୍ତବତାକୁ ହୃଦୟଙ୍ଗମ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଘରକୁ ଫେରିଯିବା ପାଇଁ ଚାହୁଁଥିବା ପ୍ରବାସୀମାନଙ୍କ ଯିବା ସୁବିଧା କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ପ୍ରବାସୀ ସଙ୍କଟର ପରିଚାଳନାରେ ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦୂର କରିବା ଲାଗି କ’ଣ ପଦକ୍ଷେପ ନେଇଛ, ୧୦ ଦିନ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଅଦାଲତ ଓଡ଼ିଶା, ଦିଲ୍ଲୀ ସମେତ ୭ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସେମାନଙ୍କୁ ଜବାବ ଦାଖଲ ପାଇଁ ଶେଷ ସୁଯୋଗ ବୋଲି ଖଣ୍ଡପୀଠ କହିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ବିହାର ଓ ହରିୟାଣା।
ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ରାଜ୍ୟଗୁଡ଼ିକୁ ଗୋଷ୍ଠୀ ରୋଷେଇ ବ୍ୟବସ୍ଥା ସହ ଘରକୁ ଫେରିବାକୁ ଆଗ୍ରହୀ ପ୍ରବାସୀ ଶ୍ରମିକମାନଙ୍କ ଯାତାୟାତ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯିବ। ବିନା କାମ ଓ ଟଙ୍କାରେ ପ୍ରବାସୀମାନେ କେମିତି ବଞ୍ଚତ୍ବେ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ସେମାନଙ୍କୁ କିଛି ସହାୟତା ଦିଆଯିବା ଜରୁରୀ ହୋଇପଡ଼ିଛି। ସରକାର ଏହି ନିଷ୍ଠୁର ବାସ୍ତବତାକୁ ବୁଝନ୍ତୁ ବୋଲି କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ କହିଛନ୍ତି।
ମହମାରୀର ଦ୍ୱିତୀୟ ଲହର ସମୟରେ କଳକାରଖାନା ବନ୍ଦ ହୋଇଯିବା ପରେ କେତେଜଣ ପ୍ରବାସୀ ଶ୍ରମିକ ଜୀବିକା ହରାଇଛନ୍ତି ଏବଂ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ କି ପଦକ୍ଷେପ ନିଆଯାଇଛି ସେନେଇ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀ ସରକାରଙ୍କୁ ଖଣ୍ଡପୀଠ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଯେଉଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି ସେମାନଙ୍କଠାରୁ ଘରୋଇ ବସ୍‌ ଅପରେଟମାନେ ଅତ୍ୟଧିକ ଭଡ଼ା ମାଗନ୍ତୁ ନାହିଁ। ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଟ୍ରେନ୍‌ ଚଳାଇବା ନେଇ ବିଚାର କରନ୍ତୁ।
ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ନିରାପତ୍ତା, ଅର୍ଥ ହସ୍ତାନ୍ତର, ପରିବହନ ସୁବିଧା ଓ ଅନ୍ୟ କଲ୍ୟାଣକାରୀ ଯୋଜନାର ଲାଭ ପ୍ରଦାନ ସୁନିଶ୍ଚିତ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ୩ ଜଣ ଅଧିକାର କର୍ମୀ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ସେମାନଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

Share