ଦୀପାବଳିରେ କେମିତି ହେବ ଧନପ୍ରାପ୍ତି

ସୁଖ ସମୃଦ୍ଧିର ପ୍ରତୀକ ହେଉଛି ଦୀପାବଳି ପର୍ବ। ଏହା ପୂର୍ବରୁ ପଡ଼ିଥାଏ ଧନ୍‌ତେରାସ୍‌। କୁହାଯାଏ, ଧନ୍‌ତେରାସ୍‌ ହେଉ ଅବା ଦୀପାବଳି ଦିନ ଯଦି ସୁନା ରୁପା ଅଳଙ୍କାର କିଣାଯାଏ କିମ୍ବା କୌଣସି ନୂଆ ଜିନିଷକୁ କିଣି ଘରକୁ ଅଣାଯାଏ ତା’ହେଲେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଆଉ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଜ୍ୟୋତିର୍ବିଦଙ୍କ ମତରେ, ଦୀପାବଳି ଦିନ କେବଳ ଯେ ଦାମୀ ଜିନିଷ କିଣିଲେ ମା’ ଖୁସି ହେବେ କି ଆର୍ଶୀବାଦ କରିବେ ତାହା ନୁହେଁ, ଏମିତି ବି କିଛି ସାମାନ୍ୟ ଜିନିଷ ରହିଛି, ଯାହାକୁ ଏହିଦିନ କିଣିଲେ ମା’ଙ୍କର କୃପା ଲାଭ ହୋଇଥାଏ। ଯେମିତି କି: ଲୁଣ, ଏହା ସାମାନ୍ୟ ଲାଗିଲେ ବି ଏହାର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ରହିଛି। ତେଣୁ ଧନ୍‌ତେରାସ ହେଉ ଅବା ଦୀପାବଳି ଆପଣ ଯଦି ସୁନାରୁପା କିଣିବାକୁ ଅସମର୍ଥ ତା’ହେଲେ ଗୋଟିଏ ଲୁଣ ପ୍ୟାକେଟ୍‌ ଘରକୁ କିଣି ଆଣନ୍ତୁ, ଏଥିରେ ବି ମହାଲକ୍ଷ୍ମୀ ଖୁସି ହେବେ। ସେହିପରି କିଛି ଖଣ୍ଡ ହଳଦୀକୁ ବି ଏହିଦିନ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅନ୍ୟପକ୍ଷେ ଧନ୍‌ତେରାସ୍‌ ହେଉ ଅବା ଦୀପାବଳିରେ ଗୋମତି ଚକ୍ର କିଣିବା ମଧ୍ୟ ଏକ ଶୁଭ ସଙ୍କେତ ହୋଇଥାଏ। ଶ୍ରୀଯନ୍ତ୍ର ଅବା କୁବେର ଯନ୍ତ୍ରକୁ ଏହିଦିନ ଘରକୁ ଆଣି ଧନଥିବା ସ୍ଥାନରେ ରଖିଲେ କ୍ରମେ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। ସେହିପରି କୁହାଯାଏ, ଧନ୍‌ତେରାସ୍‌ ଅବା ଦୀପାବଳି ଦିନ କିଛି କଉଡ଼ିକୁ ଆଣି ଠାକୁର ଘରେ ହେଉ ଅବା ସିନ୍ଦୁକରେ ରଖିଲେ ଘରୁ କ୍ରମେ ଅଭାବ ଦୂର ହୋଇଯାଏ।