‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ ନିଏ। ଆମେରିକାରେ ଏମିତି ଏକ ଘଟଣା ଘଟିଛି। ଆମେରିକାର ଜଣେ ଲେଖିକା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ସବୁଠୁ ରୋଚକ କଥା ହେଉଛି ସମ୍ପୃକ୍ତ ମହିଳା ଜଣଙ୍କ ‘ନିଜ ସ୍ବାମୀଙ୍କୁ କେମିତି ମାରିବେ( How To Murder Your Husband)’ ନାମକ ଏକ ପୁସ୍ତକ ଲେଖିଥିଲେ। ବାସ୍ତବ ଜୀବନରେ ମଧ୍ୟ ସେ ଏହା କରିଦେଖାଇଛନ୍ତି।
ଏହି ଲେଖିକାଙ୍କ ନାମ ନାନସୀ କ୍ରମ୍ପଟନ ବର୍ଫି ହୋଇଥିବାବେଳେ ତାଙ୍କ ସ୍ବାମୀଙ୍କ ନାମ ଡାନିଏଲ ବର୍ଫି । ଅଭିଯୋଗ ହୋଇଛି ଯେ, ନାନସୀ ତାଙ୍କ ରୋଷେୟା ସ୍ବାମୀଙ୍କୁ ପ୍ରାୟ ଚାରି ବର୍ଷ ପୂର୍ବେ ଗୁଳି କରି ହତ୍ୟା କରିଥିଲେ। ସ୍ବାମୀଙ୍କ ହତ୍ୟା ମାମଲାରେ ନାନ୍‌ସୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ ଲେଖିକା ନିଜର ଅପରାଧ ସ୍ବୀକାର କରିନାହାଁନ୍ତି, କିନ୍ତୁ ନିକଟରେ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୁହାଯାଉଛି ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ନାନ୍‌ସୀ ଏପରି ଚରମ ପଦକ୍ଷେପ ନେଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟର ବିଚାରପତିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାମଲାର ତଦନ୍ତ ଶେଷ ହୋଇଛି, ଖୁବ୍‌ଶୀଘ୍ର ନାନ୍‌ସୀଙ୍କୁ ଦଣ୍ଡିତ କରାଯିବ।

Share