ଶୀତରେ କେମିତି ରହିବେ ଫିଟ୍‌? ଜାଣିରଖନ୍ତୁ କିଛିଟା ଜରୁରୀ ଡାକ୍ତରୀ ଟିପ୍ସ…

ଶୀତଦିନେ ଫିଟ୍‌ ରହିବା ପାଇଁ ଟିକେ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ। ତା’ସହିତ କିଛିଟା ଜରୁରୀ ଡାକ୍ତରୀ ଟିପ୍ସକୁ ବି ମାନିବାକୁ ହୁଏ। ଯେମିତି କି ଶୀତଦିନେ ଶୋଷ ବେଶି ଲାଗୁ ନ ଥିବାରୁ ଅନେକେ ଏହିଦିନେ କମ୍‌ ପାଣି ପିଇଥାନ୍ତି; ଯଦ୍ଦ୍ବାରା ସେମାନଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ। ଝାଡ଼ା ପରିଷ୍କାର ହୁଏନାହିଁ ଇତ୍ୟାଦି। ତେଣୁ ଏହିଦିନେ ସକାଳୁ ଖାଲିପେଟରେ ହାଲ୍‌କା ନଖ ଉଷୁମ ପାଣି ପିଇବା ଭଲ। ଏହା ଡାଇଜେଷ୍ଟିଭ୍‌ ସିଷ୍ଟମକୁ ସକ୍ରିୟ କରିବା ସହ ବିଭିନ୍ନ ପ୍ରକାରର ସ୍କିନ୍‌ ପ୍ରୋବ୍ଲେମ୍‌କୁ ମଧ୍ୟ ଠିକ୍‌ କରିଥାଏ। ସେହିପରି ଶୀତଦିନେ ସପ୍ତାହକୁ ଥରେ ଷ୍ଟିମ୍‌ ନେବା ବି ଜରୁରୀ। ଏହା ଥଣ୍ଡା, କାଶ ସମସ୍ୟାରୁ ଅନେକାଂଶରେ ଉପଶମ ଦେଇଥାଏ। ଅନ୍ୟପକ୍ଷେ ଶୀତଦିନେ ପ୍ରତିଦିନ ନଡ଼ିଆ ତେଲର ମସାଜ ନେବା ବି ଶରୀର ପକ୍ଷେ ଉତ୍ତମ ହୋଇଥାଏ। ଏହାଛଡ଼ା ଶୀତଦିନେ ବିଟ୍‌ ରୁଟ୍‌କୁ ସାଲାଡ୍‌ରେ ବ୍ୟବହାର କରି ଖାଇବା କିମ୍ବା ଏହାର ଜୁସ୍‌ ପିଇବା ବି ଶରୀରକୁ ଅନେକ ଉପକାର ଦେଇଥାଏ। ସେହିପରି ଚିନି ପରିବର୍ତ୍ତେ ଶୀତଦିନେ ଗୁଡ଼ ଖାଇବା ବି ସୁସ୍ବାସ୍ଥ୍ୟ ପ୍ରଦାନ କରିଥାଏ। ଗୁଡ଼ର ଆଉ ଏକ ଫାଇଦା ହେଉଛି ଏହା ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ।