ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ ଓ ମଇଁଷିକୁ ଦିନରେ ଥରେ କିମ୍ବା ଦୁଇଥର ଗାଧୋଇ ଦିଅନ୍ତୁ । ଖାଦ୍ୟରେ ୩୦ ଗ୍ରାମ୍‌ ଖଣିଜ ଲବଣ ମିଶାଇ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତୁ । ଦିନ ୧୦ଟା ପରେ ଗୋରୁଙ୍କୁ ବାହାରକୁ ଚରିବା ପାଇଁ ଛାଡ଼ନ୍ତୁ ନାହିଁ । ଜୁନ୍‌ ମାସରେ ବର୍ଷା ଆସିଯିବ ଓ ବର୍ଷାଋତୁରେ ସାହାଣ ଓ ବଜବଜିଆ ରୋଗ ଅଧିକ ହୁଏ। ତେଣୁ ବର୍ଷାଋତୁ ପୂର୍ବରୁ ମେ ମାସରେ ସମସ୍ତ ଗାଈ, ବଳଦ ଓ ମଇଁଷିଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ସାହାଣ, ବଜବଜିଆ ଓ ଫାଟୁଆ ରୋଗର ଟିକା ଦିଅନ୍ତୁ । ଦାନାକୁ ଯଥା ସମ୍ଭବ ସନ୍ଧ୍ୟା ସମୟରେ ଦେବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଛେଳି ଓ ମେଣ୍ଢାଙ୍କୁ ଥଣ୍ଡା ପରିବେଶରେ ରଖନ୍ତୁ । ଦିନ ୧୦ଟା ପରେ ପଡ଼ିଆକୁ ଚରିବାକୁ ଛାଡ଼ନ୍ତୁ ନାହିଁ । ଯଥେଷ୍ଟ ପରିମାଣର ପିଇବା ପାଣି ଯୋଗାଇ ଦିଅନ୍ତୁ । ପିପିଆର୍‌ ଟିକା, ଏଣ୍ଟାରୋଟକ୍ସେମିଆ ଓ ଛେଳି ବସନ୍ତ ଟିକା ଦିଅନ୍ତୁ । ପ୍ରତ୍ୟେକ ଦିନ ୫ ରୁ ୧୦ ଗ୍ରାମ୍‌ ଖଣିଜ ଲବଣ ମିଶ୍ରଣ ଖାଇବାକୁ ଦିଅନ୍ତୁ । ଛେଳି ଓ ମେଣ୍ଢାମାନେ ଦିନସାରା ଚରିଲେ ମଧ୍ୟ ମେ ମାସରେ ଯଥେଷ୍ଟ ଘାସ ପାଆନ୍ତି ନାହିଁ। ତେଣୁ ପ୍ରତି ଛେଳି ବା ମେଣ୍ଢାକୁ ଓଜନ ହିସାବରେ ଏହି ମାସରେ ଦିନକୁ ୧୦୦ ରୁ ୨୦୦ ଗ୍ରାମ୍‌ ଦାନା ଦେବା ଆବଶ୍ୟକ।