Advertisement

କିପରି ଲଗାଇବେ ମୁଲତାନୀ ମାଟି

ମୁଲତାନୀ ମାଟି ତ୍ୱଚା ନିମନ୍ତେ ବରଦାନ ସଦୃଶ। ଏହାକୁ ସବୁ ପ୍ରକାରର ତ୍ୱଚାରେ ଲଗାଇ ହେବ। ଏହା ତ୍ୱଚାରେ କୌଣସି ସାଇଡ୍‌ ଇଫେକ୍ଟ ସୃଷ୍ଟି ନ କରି ଉଜ୍ୱଳତା ବୃଦ୍ଧି କରିଥାଏ। ତେବେ କେଉଁ ତ୍ୱଚାରେ କିଭଳି ମୁଲତାନୀ ମାଟି ଲଗାଇବାର ବିଧି ସମ୍ପର୍କରେ ଜାଣି ରଖନ୍ତୁ।
ତୈଳୀୟ ତ୍ୱଚା ପାଇଁ ଏକ କପ୍‌ ମୁଲତାନୀ ମାଟିରେ ୨ ବଡ଼ ଚାମଚ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ। ଏହି ପେଷ୍ଟକୁ ଲଗାଇବାର ୧୫ ମିନିଟ୍‌ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଫଳରେ ତ୍ୱଚାରେ ଥିବା ତୈଳୀୟ ଅଂଶ ଦୂର ହୋଇ ଉଜ୍ୱଳତା ବୃଦ୍ଧି ପାଇଥାଏ।
ସାଧାରଣ ତ୍ୱଚା ପାଇଁ: ଏକ ବଡ଼ ଚାମଚ ମୁଲତାନୀ ମାଟିରେ ୧ ବଡ଼ ଚାମଚ ଚନ୍ଦନ ପାଉଡର ଓ ୧ ଚାମଚ କଞ୍ଚା କ୍ଷୀର ମିଶାଇ ପେଷ୍ଟ ତିଆରି କରି ମୁହଁରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଶୁଖିଲା ହୋଇଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କଲେ ତ୍ୱଚା ଆକର୍ଷଣୀୟ ଲାଗିବ।
ଶୁଷ୍କ ତ୍ୱଚା ପାଇଁ: ଏକ ପାତ୍ରରେ ୧ ବଡ଼ ଚାମଚ ମୁଲତାନୀ ମାଟି, ୧ ବଡ଼ ଚାମଚବାଦାମ ପେଷ୍ଟ ସହିତ କଞ୍ଚା କ୍ଷୀର ମିଶାଇ ପେଷ୍ଟ ତିଆରି କରି ୨ ମିନିଟ୍‌ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ମାଟି ଫୁଲି ଯାଇଥିବ। ଏହାକୁ ଆଣି ମୁହଁରେ ହାଲ୍‌କା ସ୍କ୍ରବ କରି ଲଗାନ୍ତୁ। ଶୁଖିଯିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇ ଥର ଏପରି କରନ୍ତୁ।
ତ୍ୱଚାର ଦାଗ ଦୂର ପାଇଁ: ୨ ବଡ଼ ଚାମଚ ଟମାଟୋ ପେଷ୍ଟ, ମୁଲତାନୀ ମାଟି ୨ ବଡ଼ ଚାମଚ, ଚନ୍ଦନ ପାଉଡର ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ ନିଅନ୍ତୁ। ସବୁ ସାମଗ୍ରୀକୁ ଭଲଭାବେ ମିଶାଇ ପେଷ୍ଟ କରି ମୁହଁରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ହାଲ୍‌କା ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ମୁହଁରେ ଅଧିକ ଦାଗ ଥିଲେ ଏହାକୁ ପ୍ରତିଦିନ ବ୍ୟବହାର କଲେ ଚଳିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel