Categories: ଜାତୀୟ

ଆଗକୁ କିଭଳି ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଚାଇନା, ରୁଷିଆ, ପାକିସ୍ତାନ ଆଦି କେତେକ ଦେଶ ନିଜର ମନୋଭାବ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ଭାରତ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ଭାରତ କେଉଁ ନିଷ୍ପତ୍ତି ନେବ ତାହା ମଧ୍ୟ ଅନ୍ୟ ରାଷ୍ଟ୍ର ଜାଣିବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଲଗାତାର ବୈଠକ ଜାରି ରହିଛି। ତାଲିବାନର କଥା ଏବଂ କାମରେ ଯଥେଷ୍ଟ ଫରକ୍‌ ରହିଛି। ଏହାର କଥାକୁ ବିଶ୍ୱାସ ନାହିଁ।

ଆଫଗାନିସ୍ତାନ ଏବଂ ତାଲିବାନକୁ ନେଇ ଭାରତର ନିଷ୍ପତ୍ତି ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ନିର୍ଭର କରେ। ସେଥିମଧ୍ୟରୁ ପ୍ରଥମଟି ହେଉଛି ଭାରତ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବା ଆବଶ୍ୟକ। ଦ୍ୱିତୀୟଟି ହେଉଛି ସେଠାରେ ରହୁଥିବା ସଂଖ୍ୟାଲଘୁମାନଙ୍କ ପ୍ରତି ତାଲିବାନ କିପରି ମନୋଭାବ ପୋଷଣ କରିବ ତାହା ବେଶ୍‌ ଜରୁରୀ। ଏହା ବ୍ୟତୀତ ତୃତୀୟ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ୨୦୧୧ ମସିହାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ରଣନୀତିକ ଚୁକ୍ତି ଉପରେ ତାଲିବାନର ଆଭିମୁଖ୍ୟ କ’ଣ ରହିଛି? ତାଲିବାନର କ୍ଷମତା ଦଖଲ ଯୋଗୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି।

Share